ଚାନ୍ଦବାଲି: ବେଆଇନ ଇଟାଭାଟି ଭାଙ୍ଗିବାକୁ ଯାଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ନାଲଗୁଣ୍ଡା ପଞ୍ଚାୟତରେ କାର୍ଯ୍ୟାନୁଷ୍ଠାନ ପାଇଁ ପହଞ୍ଚିଥିବା ତହସିଲଦାର ଭବତୋଷ ମଲ୍ଲିକଙ୍କୁ ଉତ୍ତେଜିତ ଇଟାଭାଟି ମାଲିକ ଓ କର୍ମଚାରୀମାନେ ଦୀର୍ଘ ସମୟ ଅଟକ ରଖିଥିଲେ।

ତହସିଲଦାରଙ୍କ ସହ ଯାଇଥିବା ଜେସିବି, ଫାୟାର ଗାଡ଼ି ଓ ନିଆଁଲିଭା ଦଳକୁ ମଧ୍ୟ ଅଟକ ରଖାଯାଇଥିଲା। ଘଟଣାସ୍ଥଳରେ ଥିବା ଅଲ୍ପ ସଂଖ୍ୟକ ପୁଲିସ ଓ ଫାୟାର କର୍ମଚାରୀ ଉତ୍ତେଜିତ ଭିଡ଼ ସାମ୍ନାରେ ଅସହାୟ ଦେଖାଯାଇଥିଲେ। ଏହାର ଫଳରେ ଦୀର୍ଘ ସମୟ ଧରି ତନାତନି ପରିସ୍ଥିତି ଲାଗିରହିଥିଲା।

ଉତ୍ତେଜିତ ଲୋକମାନେ ଭଦ୍ରକ–ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରି ଟାୟାର ଜାଳି ପ୍ରତିବାଦ କରିଥିଲେ। ପରେ ତହସିଲଦାରଙ୍କ ହସ୍ତକ୍ଷେପରେ ରାସ୍ତା ଅବରୋଧ ହଟାଯାଇଥିଲା ଓ ଗାଡ଼ି ଚଳାଚଳ ସାଧାରଣ ହୋଇଥିଲା।

ଇଟାଭାଟିରେ କାର୍ଯ୍ୟରତ ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ଭାଟିରେ ନିଆଁ ଲଗାଇବା ପରେ ମାତ୍ର ସେମାନେ ମଜୁରୀ ପାଇଥାନ୍ତି। ବିନା ପୂର୍ବ ସୂଚନାରେ ଭାଙ୍ଗିଦେବାରୁ ଦୀର୍ଘଦିନର ମଜୁରୀ ମିଳିବାରୁ ବଞ୍ଚିତ ହେବା ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି।

ତଥାପି ତହସିଲଦାରଙ୍କ କହିବା ଅନୁସାରେ, ବେଆଇନ ଇଟାଭାଟି ମାଲିକମାନଙ୍କୁ ପୂର୍ବରୁ ନୋଟିସ୍‌ ଦିଆଯାଇଥିଲା। ଆଜି ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ପୁନର୍ବାର ୧୦ ଦିନ ସମୟ ଦିଆଯାଇଛି। ପ୍ରଶାସନୀୟ ନିର୍ଦ୍ଦେଶ ମାନାନହେଲେ ଆଗାମୀ ଦିନରେ ସମସ୍ତ ବେଆଇନ ଇଟାଭାଟି ଭଂଗାଯିବ ବୋଲି ସେ ସଚେତନ କରିଛନ୍ତି। ଏହି ଘଟଣାରେ ୧୧ଟି ମାମଲା ରୁଜୁ କରାଯାଇଛି।