ନୂଆଦିଲ୍ଲୀ:

ଦେଶରେ ଏକ୍ସପ୍ରେସୱେ ବିସ୍ତାର ପାଉଥିବା ସହିତ ସଡ଼କ ଦୁର୍ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। ବିଶ୍ୱରେ ସର୍ବାଧିକ ସଡ଼କ ଦୁର୍ଘଟଣା ମୃତ୍ୟୁ ଭାରତରେ ଘଟୁଥିବା ପରିପ୍ରେକ୍ଷିତରେ, କେନ୍ଦ୍ର ସରକାର ‘ଭେହିକିଲ୍ ଟୁ ଏଭ୍ରିଥିଙ୍ଗ୍ (ଭି-୨ଏକ୍ସ)’ ନାମକ ଏକ ନୂତନ ସୁରକ୍ଷା ପ୍ରଯୁକ୍ତି ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏହା ଅନୁସାରେ ରାଜପଥରେ ଚଳାଚଳ କରୁଥିବା ଯାନଗୁଡ଼ିକ ୱେରଲେସ୍ ପ୍ରଯୁକ୍ତି ମାଧ୍ୟମରେ ପରସ୍ପର ସହିତ ସଂଯୋଗରେ ରହିପାରିବେ।

ଦେଶର ସବୁଠାରୁ ଦୀର୍ଘ Delhi–Mumbai Expressway ଉପରେ ପାଇଲଟ୍ ପ୍ରକଳ୍ପ ଭାବେ ଏହି ପ୍ରଣାଳୀ ଆରମ୍ଭ ହେବ। ଡିସେମ୍ବର ୨୦୨୬ରେ ୬-ଜି ସେନ୍ସର ନେଟୱାର୍କ ସହ ଏହାର ପରୀକ୍ଷା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଏକ୍ସପ୍ରେସୱେ ପଥରେ ଲକ୍ଷେ ଲକ୍ଷ ସେନ୍ସର ସ୍ଥାପନ କରାଯିବ, ଯାହା ଦ୍ୱାରା ଯାନଗୁଡ଼ିକ ଲାଲ ବତି, ସାଇନ୍‌ବୋର୍ଡ, ପଦଯାତ୍ରୀ ଓ ଅନ୍ୟ ଯାନବାହନକୁ ସହଜରେ ଚିହ୍ନଟ କରିପାରିବେ।

ସରକାରୀ ସୂତ୍ର ଅନୁଯାୟୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଦୂରସଂଚାର ମନ୍ତ୍ରଣାଳୟ ମଧ୍ୟରେ ଏନେଇ ଚୁକ୍ତି ସ୍ୱାକ୍ଷର ହୋଇଛି। ଭି-୨ଏକ୍ସର ଏକ ଉପଶାଖା ‘ଭି-୨-ଭି’ (ଯାନ-ରୁ-ଯାନ) ପ୍ରଣାଳୀ ଯାନଗୁଡ଼ିକୁ ଗତି, ସ୍ଥାନ, ବ୍ରେକିଂ ଓ ଅନ୍ୟ ରିୟଲ୍ ଟାଇମ୍ ସୂଚନା ଆଦାନ-ପ୍ରଦାନର ସୁଯୋଗ ଦେବ।

ପ୍ରତ୍ୟେକ ଯାନରେ ‘ଅନ୍-ବୋର୍ଡ ୟୁନିଟ୍ (ଓବିୟୁ)’ ସ୍ଥାପନ ହେବ, ଯାହା ୩୦୦ ମିଟର ପରିସର ମଧ୍ୟରେ ଅନ୍ୟ ଯାନକୁ ଚିହ୍ନଟ କରି ସତର୍କ ସନ୍ଦେଶ ଦେବ। ଉଦାହରଣ ସ୍ୱରୂପ, ଯଦି ଆଗର ଗାଡ଼ି ହଠାତ୍ ବ୍ରେକ୍ କରେ, ପଛର ଯାନଗୁଡ଼ିକୁ ଆଲର୍ଟ ମିଳିବ। ଏହା ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବ। ପ୍ରଥମେ ନୂତନ ଯାନରେ ଏହା ଲାଗୁ ହେବ ଏବଂ ପରେ ପୁରୁଣା ଯାନରେ ମଧ୍ୟ ସ୍ଥାପନ କରାଯିବ।

ଯୁକ୍ତରାଷ୍ଟ୍ର, ଜର୍ମାନୀ, ଫ୍ରାନ୍ସ, ଯୁକ୍ତରାଜ୍ୟ ଓ ଚୀନ୍‌ରେ ଏହି ପ୍ରଣାଳୀ ପ୍ରଚଳିତ ଅଛି। ଜାପାନ ‘ଆଇଟିଏସ୍ କନେକ୍ଟ’ ମାଧ୍ୟମରେ ସ୍ମାର୍ଟ ଯାନ ପ୍ରଣାଳୀ ଚାଲୁ କରିଛି। ଭାରତ ସହିତ ୟୁଏଇ, ସାଉଦି ଆରବ, ବ୍ରାଜିଲ ଓ ମେକ୍ସିକୋ ମଧ୍ୟ ଏହି ପ୍ରଣାଳୀକୁ ଆଗେଇ ନେବାକୁ ଯୋଜନା କରୁଛନ୍ତି।