ୱାଶିଂଟନ୍: ଆମେରିକାର Indiana ରାଜ୍ୟର Hendricks County ରେ ଘଟିଥିବା ଏକ ମରାତ୍ମକ ସଡ଼କ ଦୁର୍ଘଟଣା ପରେ ଜଣେ ଭାରତୀୟ ଟ୍ରକ୍ ଚାଳକଙ୍କୁ ଗିରଫ କରାଯାଇଛି। ୨୫ ବର୍ଷୀୟ ସୁଖଦୀପ ସିଂହଙ୍କ ଉପରେ ଟ୍ରାଫିକ୍ ସିଗ୍ନାଲ ଉଲ୍ଲଂଘନ କରିବା, ତିନୋଟି ଯାନକୁ ଧକ୍କା ଦେବା ଏବଂ ଜଣେ ୬୪ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ସୃଷ୍ଟି କରିବାର ଅଭିଯୋଗ ଲାଗିଛି।

ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସୂଚନା ଅନୁଯାୟୀ, ଘଟଣାଟି ଗତ ବୁଧବାର ଘଟିଥିଲା। ଅଭିଯୋଗ ଅନୁସାରେ, ଲାଲ୍ ସିଗ୍ନାଲ ସତ୍ତ୍ୱେ ଟ୍ରକ୍ ଅଟକାଇନଥିବାରୁ ପ୍ରଥମେ ଏକ ପିକ୍-ଅପ୍ ଭ୍ୟାନକୁ ଧକ୍କା ଦେଇଥିଲେ। ପରବର୍ତ୍ତୀତରେ ଏକ ଇଲେକ୍ଟ୍ରିକ୍ ଟ୍ରକ୍ ସହିତ ଆଉ ଏକ ଯାନକୁ ମଧ୍ୟ ଧକ୍କା ଲାଗିଥିଲା। ଏହି ଦୁର୍ଘଟଣାରେ ପିକ୍-ଅପ୍ ଭ୍ୟାନର ଚାଳକ ୬୪ ବର୍ଷିୟ Terry Scott ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ସୁଖଦୀପ ସିଂହ ବର୍ତ୍ତମାନ ଆମେରିକୀୟ ଇମିଗ୍ରେସନ ଏବଂ କଷ୍ଟମ୍ସ ଇନଫୋର୍ସମେଣ୍ଟ (U.S. Immigration and Customs Enforcement) ର ହେପାଜତରେ ଅଛନ୍ତି। ତାଙ୍କ ବିରୁଦ୍ଧରେ ବେପରୁଆ ଡ୍ରାଇଭିଂ ସହିତ ଆବଶ୍ୟକ କାଗଜପତ୍ର ବିନା ଆମେରିକାରେ ଅବୈଧ ଭାବରେ ବସୋବାସ କରିବାର ଅଭିଯୋଗ ମଧ୍ୟ ରହିଛି।

ସୂଚନାମୂଳକ ତଥ୍ୟ ଅନୁସାରେ, ୨୦୧୮ ମସିହାରେ ସେ ଆମେରିକା ସୀମା ଅତିକ୍ରମ କରୁଥିବାବେଳେ ଧରାପଡ଼ିଥିଲେ। ସେତେବେଳେ ନାବାଳକ ଥିବାରୁ ତାଙ୍କୁ ମୁକ୍ତ କରାଯାଇଥିଲା। ପରେ ୨୦୨୫ ମେ’ ମାସରେ ସେ କମର୍ସିଆଲ୍ ଡ୍ରାଇଭିଂ ଲାଇସେନ୍ସ ପାଇଥିବା ଜଣାପଡ଼ିଛି।

ଘଟଣା ସମ୍ବନ୍ଧରେ ତଦନ୍ତ ଜାରି ରହିଛି।