ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ଏକ ବିଶେଷ ପୋକ୍ସୋ କୋର୍ଟ ଯୌନ ନିର୍ଯାତନା ସମ୍ବନ୍ଧୀୟ ଅଭିଯୋଗରେ ସ୍ୱାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଓ ତାଙ୍କ ଶିଷ୍ୟ ସ୍ୱାମୀ ମୁକୁଦାନନ୍ଦ ଗିରିଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଡିଜେ (ପୋକ୍ସୋ ଆଇନ) ବିନୋଦ କୁମାର ଚୌରାସିଆ ମାମଲାର ପ୍ରାଥମିକ ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ନିର୍ଦ୍ଦେଶାନୁସାରେ ପ୍ରୟାଗରାଜର ଝୁନ୍ସି ଥାନାରେ ଏଫ୍ଆଇଆର୍ ରୁଜୁ ହେବ ଓ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।
ଏହି ସମ୍ବନ୍ଧରେ ଶାକୁମ୍ଭରୀ ପୀଠାଧୀଶ୍ବର ଆଶୁତୋଷ ବ୍ରହ୍ମଚାରୀ ମହାରାଜଙ୍କ ପକ୍ଷରୁ ଧାରା ୧୭୩(୪) ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନ ଦାଖଲ କରାଯାଇଥିଲା।
ଉଲ୍ଲେଖନୀୟ ଯେ, ଗତ ମାସରେ ସ୍ୱାମୀ ଅଭିମୁକ୍ତେଶ୍ବରାନନ୍ଦ ପ୍ରୟାଗରାଜର ମାଘମେଳା ସମୟରେ ସଙ୍ଗମରେ ପବିତ୍ର ସ୍ନାନ କରିବାକୁ ତାଙ୍କୁ ବାରଣ କରାଯାଇଥିବା ଦାବି କରିଥିଲେ। ଏହାକୁ ନେଇ ସେ ୧୧ ଦିନ ଧରି ଧାରଣାରେ ବସିଥିଲେ। ପରେ ବାରାଣସୀରେ ସାମ୍ବାଦିକମାନଙ୍କୁ ସେ କହିଥିଲେ ଯେ, ଧାରଣା ସମୟରେ ମଧ୍ୟ ତାଙ୍କୁ ସ୍ନାନ କରିବା ପାଇଁ ଅନୁମତି ମିଳିନଥିଲା ଏବଂ ଆସନ୍ତା ବର୍ଷ ସେ ପୁନଃ ପ୍ରୟାଗରାଜ ଯାଇ ସ୍ନାନ କରିବେ।
ଏପର୍ଯ୍ୟନ୍ତ ଅଭିଯୋଗ ସମ୍ବନ୍ଧରେ ଅଭିଯୁକ୍ତ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ମାମଲାର ତଦନ୍ତ ପରେ ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ ହେବ।





