ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା କୂଟନୀତିକ ଓ ରଣନୀତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଉଭୟ ଦେଶ ଏକ ନୂତନ ଦିଗରେ ପଦକ୍ଷେପ ନେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ Benjamin Netanyahuଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ Narendra Modi ଫେବୃଆରି ୨୫ରୁ ଦୁଇଦିନିଆ ଇସ୍ରାଏଲ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ “ଶାନ୍ତି, ନବସୃଜନ ଏବଂ ସମୃଦ୍ଧି ପାଇଁ ସ୍ୱତନ୍ତ୍ର ରଣନୀତିକ ସହଭାଗୀତା’’କୁ ନୂଆ ଉଚ୍ଚତାକୁ ନେବାରେ ସମ୍ମତି ପ୍ରକାଶ ପାଇଛି।

୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ଇସ୍ରାଏଲ ଗସ୍ତ ଓ ୨୦୧୮ରେ ନେତନ୍ୟାହୁଙ୍କ ଭାରତ ଯାତ୍ରା ପରେ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଦିଗକୁ ଗତି କରିଥିବାକୁ ଉଭୟ ନେତା ସ୍ମରଣ କରିଥିଲେ। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, କୃଷି, ଜଳ ପରିଚାଳନା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା କଥା ଉଭୟ ପକ୍ଷ ଉଲ୍ଲେଖ କରିଛନ୍ତି।

ପ୍ରଯୁକ୍ତିବିଦ୍ୟା ଓ ଭବିଷ୍ୟତ ସହଯୋଗ

ଦୁଇ ଦେଶ ଏଆଇ, ସାଇବର ସୁରକ୍ଷା, ସେମିକଣ୍ଡକ୍ଟର, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ଜୈବ ପ୍ରଯୁକ୍ତି, ମହାକାଶ ଗବେଷଣା ଓ ଉନ୍ନତ ଉଦ୍ଭାବନ କ୍ଷେତ୍ରରେ ସହଯୋଗ ବଢ଼ାଇବାରେ ଜୋର ଦେଇଛନ୍ତି। ଇସ୍ରାଏଲର ପ୍ରଯୁକ୍ତିକ ଦକ୍ଷତା ଓ ଭାରତର ଉତ୍ପାଦନ ଓ ମାନବ ସମ୍ପଦ ଶକ୍ତି ପରସ୍ପରକୁ ପୂରକ ବୋଲି ନେତାମାନେ ମତ ପ୍ରକାଶ କରିଛନ୍ତି।

ପ୍ରତିରକ୍ଷା ଓ ସୁରକ୍ଷା

୨୦୨୫ରେ ସ୍ୱାକ୍ଷରିତ ପ୍ରତିରକ୍ଷା ସହଯୋଗ ବୁଝାମଣାପତ୍ରକୁ ଆଧାର କରି ଭବିଷ୍ୟତରେ ସାମରିକ ସହଯୋଗକୁ ଆହୁରି ବ୍ୟାପକ କରିବା ପାଇଁ ଉଭୟ ଦେଶ ରୂପରେଖା ପ୍ରସ୍ତୁତ କରିଛନ୍ତି। ସୁରକ୍ଷା ଓ ରଣନୀତିକ ସହଯୋଗକୁ ଦୁଇପକ୍ଷ ମୁଖ୍ୟ ଅଗ୍ରଗତି କ୍ଷେତ୍ର ଭାବେ ଚିହ୍ନଟ କରିଛନ୍ତି।

ବାଣିଜ୍ୟ ଓ ନିବେଶ

ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶର ସମ୍ଭାବନାକୁ ବୃହତ୍ କରିବା ଉପରେ ମୋଦୀ ଓ ନେତନ୍ୟାହୁ ଗୁରୁତ୍ୱ ଦେଇଥିଲେ। ୨୦୨୫ରେ ସ୍ୱାକ୍ଷରିତ ଭାରତ–ଇସ୍ରାଏଲ ନିବେଶ ଚୁକ୍ତି ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହ ଆର୍ଥିକ ସହଯୋଗକୁ ଗତି ଦେବ ବୋଲି ଆଶା ପ୍ରକାଶ ପାଇଛି।

କୃଷି, ଜଳ ଓ ପରିବେଶ

ଜଳ ସଂରକ୍ଷଣ, ଜଳ ପୁନଃବ୍ୟବହାର, ଲବଣମୁକ୍ତ ପାଣି ପ୍ରଯୁକ୍ତି ଓ ସ୍ମାର୍ଟ କୃଷି ବ୍ୟବସ୍ଥାରେ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶ ସମ୍ମତି ଜଣାଇଛନ୍ତି। ନଦୀ ସଫେଇ ଓ ଟିକାଉ କୃଷି ପ୍ରଣାଳୀରେ ଇସ୍ରାଏଲୀ ପ୍ରଯୁକ୍ତି ବ୍ୟବହାର ଉପରେ ଆଲୋଚନା ହୋଇଛି।

ଆତଙ୍କବାଦ ବିରୋଧୀ ମନୋଭାବ

ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦକୁ ଦୁଇ ନେତା କଠୋର ଭାବରେ ନିନ୍ଦା କରିଥିଲେ। ବିଶ୍ୱସ୍ତରୀୟ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଏହି ବିପଦକୁ ମୁକାବିଲା କରିବାକୁ ଆହ୍ୱାନ ଜଣାଇଥିଲେ।

ଶିକ୍ଷା, ସ୍ୱାସ୍ଥ୍ୟ ଓ ଲୋକସମ୍ପର୍କ

ଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ସହଯୋଗ, ଛାତ୍ର ଆଦାନ-ପ୍ରଦାନ ଓ ଏଆଇ ଆଧାରିତ ଶିକ୍ଷା ବିକାଶ ଉପରେ ଉଭୟ ଦେଶ ଜୋର ଦେଇଛନ୍ତି। ସ୍ୱାସ୍ଥ୍ୟ ନବସୃଜନ, ଡିଜିଟାଲ୍ ହେଲ୍ଥ ଓ ଗବେଷଣା କ୍ଷେତ୍ରରେ ସହଯୋଗ ବଢ଼ାଇବା ନିଷ୍ପତ୍ତି ମଧ୍ୟ ହୋଇଛି।

ନୂତନ ଚୁକ୍ତି ଓ ସମ୍ମତି

ଏହି ଗସ୍ତ ସମୟରେ ଏଆଇ, ସାଇବର ସୁରକ୍ଷା, କୃଷି ଗବେଷଣା, ସାଂସ୍କୃତିକ ବିନିମୟ, ଆର୍ଥିକ ପେମେଣ୍ଟ୍ ବ୍ୟବସ୍ଥା ସଂଯୋଗ (ୟୁପିଆଇ), ଶ୍ରମ ସହଯୋଗ ଓ ବୈଜ୍ଞାନିକ ଗବେଷଣା ସମେତ ମୋଟ ୧୬ଟି ବୁଝାମଣାପତ୍ର ଓ ଚୁକ୍ତିକୁ ସ୍ୱାଗତ କରାଯାଇଛି।