ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଅଭିଯୋଗ ଆଣି ରାଜ୍ୟ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ (ବିଜେଡି)। ଦଳର ମତାନୁସାରେ, ସରକାରଙ୍କ ବିଫଳତା ତାଲିକା ଦିନକୁ ଦିନ ଲମ୍ବା ହେଉଥିବା ବେଳେ ସରକାର କେବଳ ସ୍ୱୟଂ ପ୍ରଶଂସାରେ ବ୍ୟସ୍ତ ରହିଛନ୍ତି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼. ଲେନିନ ମହାନ୍ତି ଧାନ କିଣା ପ୍ରକ୍ରିୟାରେ ଅନେକ ଅନିୟମିତତା ଥିବା ଅଭିଯୋଗ କରିଥିଲେ।
ବିଜେଡି ପକ୍ଷରୁ କୁହାଯାଇଛି ଯେ, ରାଜନଗର ଅଞ୍ଚଳର ଚାଷୀ ତ୍ରିଲୋଚନ ନାୟକ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ ମଧ୍ୟ କଟନି-ଛଟନି ନାମରେ ପ୍ରତି କୁଇଣ୍ଟାଲରୁ ପ୍ରାୟ ୬ କିଲୋ ଧାନ କଟାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଧାନ ବିକ୍ରି ପ୍ରକ୍ରିୟାରେ ସେ ବିଭିନ୍ନ ସ୍ତରରେ ହତାଶାର ସମ୍ମୁଖୀନ ହୋଇଥିଲେ। ରାମଚଣ୍ଡୀ ମିଲରେ ଧାନ ହସ୍ତାନ୍ତର ପାଇଁ ତାଙ୍କୁ ତିନି ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି।
ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନ କିଣା ସୁଚାରୁ ଭାବେ ଚାଲିଥିବା ଦାବି କରୁଥିବା ସତ୍ତ୍ୱେ ଭିନ୍ନ ଭିନ୍ନ ସମୟରେ ଅଲଗା ତଥ୍ୟ ପ୍ରକାଶ କରିଛନ୍ତି। ବିଧାନସଭାରେ ୬୪.୧୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଥିବା କହାଯାଇଥିବା ବେଳେ ପରବର୍ତ୍ତୀ ଭିଡିଓ ବାର୍ତ୍ତାରେ ୬୩.୬୫ ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇଥିବା ଦାବି କରାଯାଇଥିବାରୁ ସରକାରୀ ତଥ୍ୟ ଉପରେ ପ୍ରଶ୍ନ ଉଠିଛି।
ସରକାରୀ ତଥ୍ୟ ଅନୁସାରେ ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୧୯୩ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ଏପର୍ଯ୍ୟନ୍ତ କେବଳ ୬୩ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ ହୋଇଛି, ଯାହା ସମୁଦାୟ ଉତ୍ପାଦନର ପ୍ରାୟ ୩୩ ପ୍ରତିଶତ ବୋଲି ବିଜେଡି ଦାବି କରିଛି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଧାନ କିଣା ସମ୍ଭବ କି ନୁହେଁ ସେନେଇ ଦଳ ସନ୍ଦେହ ପ୍ରକାଶ କରିଛି।
ଡ଼. ଲେନିନ ମହାନ୍ତି କହିଥିଲେ, କଟନି-ଛଟନି ବିନା ଧାନ କ୍ରୟ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରତି କୁଇଣ୍ଟାଲରେ ୭ରୁ ୧୦ କିଲୋ ପର୍ଯ୍ୟନ୍ତ କଟାଯାଉଛି। ଏହା ସହ ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଅର୍ଥ ପ୍ରଦାନ ହେବାକୁ କୁହାଯାଇଥିଲେ ମଧ୍ୟ ଅନେକ ଚାଷୀ ତିନି ସପ୍ତାହ ପର୍ଯ୍ୟନ୍ତ ଟଙ୍କା ପାଉନଥିବା ଅଭିଯୋଗ ରହିଛି।
ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀଙ୍କୁ ଦାୟୀ କରି ବିଜେଡି ପକ୍ଷରୁ ନୈତିକତା ଆଧାରରେ ତୁରନ୍ତ ଇସ୍ତଫା ଦାବି କରାଯାଇଛି।





