ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ Amit Shah ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାର ପକ୍ଷରୁ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଗସ୍ତ ସମ୍ପର୍କିତ ସମସ୍ତ ବ୍ୟବସ୍ଥା ନେଇ ସମୀକ୍ଷା କରାଯାଇଛି।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶାହ ମାର୍ଚ୍ଚ ୫ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିବେ। ପରବର୍ତ୍ତୀ ଦିନ ଅର୍ଥାତ୍ ମାର୍ଚ୍ଚ ୬ ତାରିଖ ପୂର୍ବାହ୍ନରେ କଟକର ମୁଣ୍ଡୁଳିସ୍ଥିତ Central Industrial Security Force (ସିଆଇଏସଏଫ) ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସେ ଯୋଗଦେବେ।

ଏହାପରେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ National Forensic Sciences University (ଏନଏଫଏସୟୁ) ଓ Central Forensic Science Laboratory (ସିଏଫଏସଏଲ) ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମିପୂଜନ କରିବା ସହ ଆଭାସୀ ମାଧ୍ୟମରେ ଏନଏଫଏସୟୁ ଟ୍ରାନଜିଟ୍ କ୍ୟାମ୍ପସର ଉଦ୍ଘାଟନ କରିବେ। ସେହିଦିନ ଅପରାହ୍ଣରେ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ‘ନବୀନ ନ୍ୟାୟ ସଂହିତା’ ପ୍ରଦର୍ଶନୀ ଉଦ୍ଘାଟନ ସହ ସମବାୟ ଓ ଅନ୍ୟାନ୍ୟ ବିଭାଗର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି।

ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା, ରୁଟ୍ ପ୍ଲାନ ଓ କାର୍ଯ୍ୟକ୍ରମ ସ୍ଥଳର ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ବୈଠକରେ କରାଯାଇଥିଲା। ସମସ୍ତ ବିଭାଗକୁ ପାରସ୍ପରିକ ସମନ୍ୱୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ପ୍ରଶାସନିକ ଓ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ କଟକ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।