ତେହେରାନ: ଇରାନର ସ୍ୱର୍ଗତ ସର୍ବୋଚ୍ଚ ନେତା Ayatollah Ali Khameneiଙ୍କ ମୃତ୍ୟୁର ମାତ୍ର ଦୁଇ ଦିନ ପରେ ତାଙ୍କ ପତ୍ନୀ Mansoureh Khojasteh Bagherzadehଙ୍କ ପରଲୋକ ଘଟିଛି। ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣ ସମୟରେ ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଥିବା ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଖେମିନିଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ନିହତ ହୋଇଥିଲେ। ଏହି ଘଟଣା ପରେ ଇରାନରେ ଆମେରିକା ଓ ଇସ୍ରାଏଲ ବିରୋଧୀ ମନୋଭାବ ଆହୁରି ତୀବ୍ର ହେବାର ସମ୍ଭାବନା ବ୍ୟକ୍ତ କରାଯାଉଛି।
ଏପରି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି Donald Trump ଖେମିନିଙ୍କ ହତ୍ୟାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଖେମିନିଙ୍କୁ ପ୍ରଥମେ ଟାର୍ଗେଟ୍ କରାଯାଇନଥାନ୍ତା, ତେବେ ଇରାନ ପକ୍ଷରୁ ତାଙ୍କୁ ହତ୍ୟା କରିବା ଚେଷ୍ଟା ହୋଇପାରୁଥାନ୍ତା।
ଆମେରିକୀୟ ଗୁପ୍ତଚର ସଂସ୍ଥାର ସୂଚନା ଉଦ୍ଧୃତ କରି ଟ୍ରମ୍ପ ଦାବି କରିଛନ୍ତି ଯେ, ୨୦୨୪ ମସିହାରେ ତାଙ୍କ ବିରୋଧରେ ଇରାନ ପକ୍ଷରୁ ଦୁଇଥର ଷଡଯନ୍ତ୍ର ରଚାଯାଇଥିଲା। ଆମେରିକୀୟ ସାମ୍ବାଦିକ Jonathan Karlଙ୍କ ସହ ଆଲୋଚନା ସମୟରେ ସେ ଏହି ତଥ୍ୟ ପ୍ରକାଶ କରିଥିବା କୁହାଯାଇଛି।
ଖେମିନିଙ୍କ ମୃତ୍ୟୁ ପରେ ଇରାନର ନୂତନ ନେତୃତ୍ୱ କିଏ ନେବ ତାହା ନେଇ ଅନିଶ୍ଚିତତା ଜାରି ରହିଛି। ଟ୍ରମ୍ପଙ୍କ କହିବା ଅନୁଯାୟୀ, ଆକ୍ରମଣ ଅତ୍ୟନ୍ତ ତୀବ୍ର ଥିବାରୁ ନେତୃତ୍ୱ ଦାବିଦାର ଅନେକ ଶୀର୍ଷ ନେତା ମଧ୍ୟ ନିହତ ହୋଇଥିବା ସମ୍ଭାବନା ରହିଛି।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ସଂଘର୍ଷ କେତେଦିନ ଯାଏ ଜାରି ରହିବ ସେନେଇ ସ୍ପଷ୍ଟତା ନଥିଲେ ମଧ୍ୟ, ଯୁଦ୍ଧ ଦୀର୍ଘସ୍ଥାୟୀ ହେବାର ଆଶଙ୍କାକୁ ନକାରାଯାଇ ପାରୁନାହିଁ।





