ମୁମ୍ବାଇ: ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ସୋମବାର ବିଶ୍ୱ ସହିତ ଏସିଆର ଷ୍ଟକ୍‌ ବଜାରରେ ଭାରୀ ପତନ ଦେଖିବାକୁ ମିଳିଛି। ଇରାନ ଉପରେ ଆମେରିକା-ଇସ୍ରାଏଲ୍‌ର ଆକ୍ରମଣ ପରେ ନିବେଶକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରୁ ଭାରତୀୟ ଷ୍ଟକ୍‌ ବଜାର ମଧ୍ୟ ଦୋହଲିଯାଇଛି।

କାରବାର ଶେଷରେ BSE Sensex ୧୦୪୮ ପଏଣ୍ଟ୍‌ ହ୍ରାସ ପାଇ ୮୦,୨୩୯ ପଏଣ୍ଟ୍‌ରେ ବନ୍ଦ ହୋଇଥିବାବେଳେ Nifty 50 ୩୧୩ ପଏଣ୍ଟ୍‌ କମି ୨୪,୮୬୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଯୁଦ୍ଧ ଜନିତ ଭୂରାଜନୈତିକ ଉତ୍ତେଜନା ବଢିବାରୁ ନିବେଶକମାନେ ବ୍ୟାପକ ଭାବେ ସେୟାର ବିକ୍ରି କରିଥିଲେ।

ବଜାର ବିଶ୍ଳେଷକମାନଙ୍କ କହିବାନୁସାରେ, ଯୁଦ୍ଧ ପରିସ୍ଥିତି ଦୀର୍ଘସ୍ଥାୟୀ ହେଲେ ମୁଦ୍ରାସ୍ଫୀତି ବୃଦ୍ଧି ସହ କର୍ପୋରେଟ୍‌ କମ୍ପାନିମାନଙ୍କ ଲାଭ ଉପରେ ପ୍ରଭାବ ପଡିପାରେ। ଏହି କାରଣରୁ ନିବେଶକମାନେ ସେୟାର ବଜାରରୁ ପାଣ୍ଠି ବାହାର କରି ସୁନା ଓ ରୁପା ଭଳି ସୁରକ୍ଷିତ ନିବେଶ ମାଧ୍ୟମକୁ ମୁହଁ ଘୁଞ୍ଚାଇଛନ୍ତି।

କେବଳ ଭାରତ ନୁହେଁ, ପାକିସ୍ତାନର KSE-30 Index ପ୍ରାୟ ୯.୭୩ ପ୍ରତିଶତ ହ୍ରାସ ପାଇ ୪୬,୩୨୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାସହ ଜାପାନର Nikkei 225, ହଂକଂର Hang Seng Index ଓ ଚୀନ୍‌ର Shanghai Composite Index ମଧ୍ୟ ହ୍ରାସ ସହ ବନ୍ଦ ହୋଇଛି।

ଆମେରିକୀୟ ବଜାରରେ Dow Jones Industrial Average, Nasdaq Composite ଏବଂ S&P 500 ସୂଚକାଙ୍କରେ ମଧ୍ୟ ପତନ ଦେଖାଯାଇଛି। ୟୁରୋପର ଜର୍ମାନୀର DAX, ଫ୍ରାନ୍ସର CAC ଓ ଲଣ୍ଡନର FTSE ସୂଚକାଙ୍କ ମଧ୍ୟ ନକାରାତ୍ମକ ଧାରାରେ ରହିଛି।

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରୁ ତୈଳ ବିପଣନ, ଟାୟାର ଓ ପେଣ୍ଟ କମ୍ପାନିର ସେୟାର ଉପରେ ଚାପ ପଡିଛି। Asian Paints, Berger Paints IndiaKansai Nerolac Paintsର ସେୟାର ପ୍ରାୟ ୩ ପ୍ରତିଶତ ହ୍ରାସ ପାଇଛି। ସେହିପରି Indian Oil CorporationHindustan Petroleum Corporation Limitedର ସେୟାର ୫ ପ୍ରତିଶତ ପର୍ଯ୍ୟନ୍ତ କମିଛି। ଟାୟାର କମ୍ପାନି CEAT LimitedMRF Limitedର ସେୟାର ମଧ୍ୟ ହ୍ରାସ ରେକର୍ଡ କରିଛି।

ଯୁଦ୍ଧ ଉତ୍ତେଜନା ଜାରି ରହିଲେ ଆଗାମୀ ଦିନରେ ବିଶ୍ୱ ଆର୍ଥିକ ବଜାରରେ ଅସ୍ଥିରତା ଆହୁରି ବଢିପାରେ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।