ତେଲ୍ ଅଭିଭ୍: ଇରାନ ବିରୋଧରେ ଚାଲିଥିବା ‘ଅପରେସନ୍ ରୋରିଂ ଲାୟନ୍’କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ଇସ୍ରାଏଲ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଇରାନ ଓ ଲେବାନନ ବିରୋଧରେ ଦୀର୍ଘ ଲଢ଼େଇ ପାଇଁ ଇସ୍ରାଏଲ ବିଶାଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ସାମରିକ ସାମଗ୍ରୀ ସଂଗ୍ରହ କରୁଛି।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୧୦ ଦିନ ମଧ୍ୟରେ ୫୦ଟି କାର୍ଗୋ ବିମାନ ମାଧ୍ୟମରେ ୧ ହଜାର ଟନ୍ରୁ ଅଧିକ ଅସ୍ତ୍ରଶସ୍ତ୍ର, ସାମରିକ ଉପକରଣ ଓ ଯୁଦ୍ଧ ସାମଗ୍ରୀ ଇସ୍ରାଏଲରେ ପହଞ୍ଚିଛି। ପରେ ଏହାକୁ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍) କୁ ପଠାଯାଇଛି। ମନ୍ତ୍ରାଳୟ କହିଛି ଯେ, ଏହା ଏକ ବଡ଼ ଧରଣର ସାମରିକ ସିପିଂ ଅଭିଯାନ।
ସେହିପରି ଗତ କିଛି ସପ୍ତାହ ମଧ୍ୟରେ ୯୦ଟି ବିମାନ ମାଧ୍ୟମରେ ୬,୫୦୦ ଟନ୍ରୁ ଅଧିକ ଅସ୍ତ୍ରଶସ୍ତ୍ର ଇସ୍ରାଏଲକୁ ପହଞ୍ଚିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ଇସ୍ରାଏଲ ଇରାନ ଉପରେ ତାହାର ଆକ୍ରମଣକୁ ଆହୁରି ବ୍ୟାପକ କରିଥିବା ଦାବି କରିଛି। ଇରାନର ତିନି ପାର୍ଶ୍ୱରେ ଇସ୍ରାଏଲ ଆକ୍ରମଣ କରିଥିବା କୁହାଯାଉଛି। ଏହା ସହ ଲେବାନନ ଉପରେ ମଧ୍ୟ ଆକ୍ରମଣ ଜାରି ରହିଛି।
ଏହି ପରିସ୍ଥିତିରେ ୟୁଏଇ ପକ୍ଷରୁ କୁହାଯାଇଛି ଯେ, ସୋମବାର ଦିନ ୧୫ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଚିହ୍ନଟ କରାଯାଇଥିଲା। ସେଥିରୁ ୧୨ଟିକୁ ଧ୍ୱଂସ କରାଯାଇଥିବା ବେଳେ ଅନ୍ୟ ୩ଟି ସମୁଦ୍ରରେ ପତିତ କରାଯାଇଛି। ସେହିପରି ୧୮ଟି ୟୁଏଭି (ଡ୍ରୋନ୍) ଚିହ୍ନଟ ହୋଇଥିବା ବେଳେ ୧୭ଟିକୁ ଖସାଇ ଦିଆଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ସୋସିଆଲ୍ ମିଡିଆ ପୋଷ୍ଟରେ କହିଛି।
ଅନ୍ୟପକ୍ଷରେ କତର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଇରାନ ପକ୍ଷରୁ ଆସିଥିବା ୧୭ଟି କ୍ଷେପଣାସ୍ତ୍ର ଓ ୬ଟି ଡ୍ରୋନ୍କୁ ସେମାନେ ଖସାଇ ଦେଇଛନ୍ତି।





