ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ଜିଲ୍ଲାର ସିଧରାୱାଲି ଅଞ୍ଚଳରେ ସୋମବାର ଏକ ନିର୍ମାଣ ସ୍ଥଳରେ ମାଟି ଧସି ପଡ଼ିବାରୁ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଘଟଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ସିଗନେଚର ଗ୍ଲୋବାଲର ଏକ ନିର୍ମାଣାଧୀନ ପ୍ରକଳ୍ପରେ ବେସମେଣ୍ଟ ଓ ଫାଉଣ୍ଡେସନ ସହିତ ସଂପୃକ୍ତ କାମ ଚାଲିଥିବା ବେଳେ ହଠାତ୍ ମାଟିର ଏକ ବଡ଼ ଅଂଶ ଧସି ପଡ଼ିଥିଲା। ଏହାରେ କାମ କରୁଥିବା ଶ୍ରମିକମାନେ ମାଟି ତଳେ ପୋତି ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପ୍ରଶାସନ, ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜେସିବି ସହିତ ଅନ୍ୟାନ୍ୟ ଯନ୍ତ୍ରପାତି ବ୍ୟବହାର କରି ଭଗ୍ନାବଶେଷ ହଟାଇ ଶ୍ରମିକମାନଙ୍କୁ ବାହାର କରାଯାଇଥିଲା।

ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ୭ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତ ଶ୍ରମିକମାନଙ୍କ ଚିକିତ୍ସା ଚାଲିଥିବା ବେଳେ କିଛି ଶ୍ରମିକ ଏଯାଏଁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ନିର୍ମାଣ କାମ ସମୟରେ ସୁରକ୍ଷା ମାନଦଣ୍ଡରେ ଅବହେଳା ହୋଇଥିବା ସନ୍ଦେହ କରାଯାଉଛି। ଏହାକୁ ନେଇ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି। ତଦନ୍ତ ପରେ ଦାୟୀ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଓ ଶ୍ରମିକମାନଙ୍କ ମଧ୍ୟରେ କ୍ରୋଧ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଆଶ୍ୱାସନ ଦିଆଯାଇଛି।