ଭୁବନେଶ୍ୱର: ଖଣିଜ ସମ୍ପଦରେ ସମୃଦ୍ଧ Odisha ର ମାଟି ତଳୁ ପୁଣି ନୂତନ ମୂଲ୍ୟବାନ ରତ୍ନର ସନ୍ଧାନ ମିଳିଛି। ବିଧାନସଭାରେ ଖଣି ଓ ଇସ୍ପାତ ମନ୍ତ୍ରୀ Bibhuti Bhushan Jena ଦେଇଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୀରା, ମାଣିକ ଓ ସୁନା ସହିତ ଅନେକ ମୂଲ୍ୟବାନ ଖଣିଜ ଚିହ୍ନଟ ହୋଇଛି।

ମନ୍ତ୍ରୀଙ୍କ ଅନୁସାରେ, Nuapada ଜିଲ୍ଲାର କଲମିଦାଦର ଅଞ୍ଚଳରେ ହୀରା ଥିବା ପଥରର ସନ୍ଧାନ ମିଳିଛି। ବର୍ତ୍ତମାନ ବିଶେଷଜ୍ଞମାନେ ଏହାର ବୈଜ୍ଞାନିକ ଓ ଅର୍ଥନୈତିକ ସମ୍ଭାବନା ଉପରେ ଅଧ୍ୟୟନ କରୁଛନ୍ତି।

ସେହିପରି, Kalahandi ଜିଲ୍ଲାର ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ହିଞ୍ଜିଳିବାହାଳ-ଜିଲିଙ୍ଗବର ଅଞ୍ଚଳରେ ମାଣିକ (ରୁବି) ଖଣିର ସନ୍ଧାନ ମିଳିଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ମୋତି ଖଣି ଚିହ୍ନଟ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ, Deogarh ର ରିଆମାଳ ଅଞ୍ଚଳରେ ତମ୍ବା, ଗ୍ରାଫାଇଟ୍‌ ଓ ନିକେଲ୍‌ ମିଳିଥିବା ବେଳେ ଅଡସ-ରାମପଲ୍ଲୀରେ ସୁନା ଖଣିର ସନ୍ଧାନ ମିଳିଛି। Mayurbhanj ର କୁଳିଅଣା ଅଞ୍ଚଳରେ ସୁନା ଓ ତମ୍ବା ଥିବା ପଥର ଠାବ କରାଯାଇଛି ଏବଂ Keonjhar ର ବାଂଶପାଳ ଅଞ୍ଚଳରେ ମଧ୍ୟ ସୁନା ଖଣିର ସନ୍ଧାନ ମିଳିଛି।

ମନ୍ତ୍ରୀଙ୍କ ପୂର୍ବ ସୂଚନା ଅନୁସାରେ ରାଜ୍ୟ ମାଟି ତଳେ ପ୍ରାୟ ୧୫୮୬ କିଲୋଗ୍ରାମ ସୁନା ମଜୁତ ରହିଥିବା ଆକଳନ କରାଯାଇଛି। ଏହି ସମ୍ପଦକୁ ବାଣିଜ୍ୟିକ ଭାବେ ବ୍ୟବହାର କରିବା ପାଇଁ ସରକାର ପ୍ରସ୍ତୁତି ନେଉଥିବା ବେଳେ ଖଣିଗୁଡ଼ିକୁ ନିଲାମ କରିବା ବିଷୟରେ ମଧ୍ୟ ଚିନ୍ତାବିମର୍ଶ ଚାଲିଛି।

ଏହାସହ ରାଜ୍ୟରେ ଗ୍ରାଫାଇଟ୍‌, ତମ୍ବା, ନିକେଲ୍‌, ରୂପା, ଟାଇଟାନିୟମ, ଭାନାଡିୟମ ଓ ଟିନ୍‌ ଭଳି ବିରଳ ଖଣିଜ ମଧ୍ୟ ଚିହ୍ନଟ ହୋଇଛି। ଏହି ଖଣିଜଗୁଡ଼ିକୁ ଇଲେକ୍ଟ୍ରିକ ଭେହିକଲ୍‌ (EV), ସୋଲାର ପ୍ରକଳ୍ପ ଓ ଆଧୁନିକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ବ୍ୟବହାର କରାଯାଉଛି।

ବର୍ତ୍ତମାନ ଅଧିକାଂଶ ଅଞ୍ଚଳରେ G2 ଓ G3 ସ୍ତରର ଖଣିଜ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି।