ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶରେ ଏଲ୍ପିଜି ସଙ୍କଟ ଗମ୍ଭୀର ରୂପ ନେଇଥିବାବେଳେ, ଏହାକୁ ମୁକାବିଲା ପାଇଁ ତୈଳ କମ୍ପାନିଗୁଡ଼ିକ ନୂଆ ଯୋଜନା ଉପରେ ବିଚାର କରୁଛନ୍ତି। ଘରୋଇ ବ୍ୟବହାର ପାଇଁ ଦିଆଯାଉଥିବା ୧୪.୨ କେଜିଆ ସିଲିଣ୍ଡରରେ ଗ୍ୟାସ୍ ପରିମାଣ କମାଇ ୧୦ କେଜି କରିବା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି।
ସୂତ୍ର ଅନୁଯାୟୀ, ଏହି ପଦକ୍ଷେପ ଜରିଆରେ ଉପଲବ୍ଧ ଗ୍ୟାସ୍କୁ ଅଧିକ ସଂଖ୍ୟକ ପରିବାରଙ୍କ ମଧ୍ୟରେ ବଣ୍ଟନ କରିବା ଲକ୍ଷ୍ୟ ରହିଛି। ବର୍ତ୍ତମାନ ୧୪.୨ କେଜିଆ ସିଲିଣ୍ଡର ସାଧାରଣତଃ ୩୫ ରୁ ୪୦ ଦିନ ପର୍ଯ୍ୟନ୍ତ ଚାଲୁଥିବାବେଳେ, ୧୦ କେଜିର ସିଲିଣ୍ଡର ମଧ୍ୟ ଅଧିକାଂଶ ପରିବାର ପାଇଁ ଏକ ମାସର ଆବଶ୍ୟକତା ପୂରଣ କରିପାରିବ ବୋଲି ମନେ କରାଯାଉଛି।
ଏହି ପରିବର୍ତ୍ତନ ଆଣାଗଲେ ସିଲିଣ୍ଡରର ଦରକୁ ମଧ୍ୟ ସମଯୋଜନ କରିବାକୁ ପଡିବ। ସେହି ସହିତ ବଟଲିଂ କାରଖାନାରେ ଟେକ୍ନିକାଲ ପରିବର୍ତ୍ତନ ଆବଶ୍ୟକ ହେବ। ତେବେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ନିୟାମକ ସଂସ୍ଥାଙ୍କ ଅନୁମୋଦନ ଆବଶ୍ୟକ ହେବ।
ଅନ୍ୟପଟେ, ଏଲ୍ପିଜି ଅଭାବକୁ ଦୃଷ୍ଟିରେ ରଖି ସରକାର ବାଣିଜ୍ୟିକ ଗ୍ୟାସ୍ ଯୋଗାଣ ଉପରେ କଟକଣା ଲଗାଇଥିବାରୁ ହୋଟେଲ୍, ରେଷ୍ଟୁରାଣ୍ଟ, କ୍ୟାଟରିଂ ଓ କ୍ଲାଉଡ୍ କିଚେନ୍ ଭଳି ବ୍ୟବସାୟଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଯଦିଓ ଧୀରେ ଧୀରେ ବାଣିଜ୍ୟିକ ଯୋଗାଣ ବୃଦ୍ଧି କରାଯାଉଛି, ତଥାପି ଘରୋଇ ଗ୍ୟାସ୍ ଯୋଗାଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।
ଯୁଦ୍ଧ ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ଗ୍ୟାସ୍ ସଙ୍କଟ ଆହୁରି ଗମ୍ଭୀର ହେବାର ଆଶଙ୍କା ବ୍ୟକ୍ତ କରାଯାଉଛି।





