ନୂଆଦିଲ୍ଲୀ: Narendra Modiଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୮,୮୪୦ କୋଟି ଟଙ୍କାର ସଂଶୋଧିତ ଉଡାନ୍‌ ୨.୦ ଯୋଜନାକୁ ମଞ୍ଜୁରି ଦିଆଯାଇଛି। ଭାରତରେ ଆଞ୍ଚଳିକ ବିମାନ ସଂଯୋଗକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଏହି ଯୋଜନା ୨୦୨୬-୨୭ ରୁ ୨୦୩୫-୩୬ ପର୍ଯ୍ୟନ୍ତ ୧୦ ବର୍ଷ ପାଇଁ କାର୍ଯ୍ୟକାରୀ ହେବ।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କମ୍ ସେବା ପାଉଥିବା ଓ ସେବାବଞ୍ଚିତ ଅଞ୍ଚଳ, ବିଶେଷକରି ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକୁ ବିମାନ ସଂଯୋଗରେ ଆଣିବା। ଏହା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା ଅଧିକ ସସ୍ତା ହେବା ସହ ଦୂରଦରାଜ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ, ବାଣିଜ୍ୟ ଓ ପର୍ଯ୍ୟଟନକୁ ବଡ଼ ପ୍ରୋତ୍ସାହନ ମିଳିବ।

ଯୋଜନା ଅନୁଯାୟୀ, ଆସନ୍ତା ଆଠ ବର୍ଷ ମଧ୍ୟରେ ପ୍ରାୟ ୧୨,୧୫୯ କୋଟି ଟଙ୍କା ବ୍ୟୟରେ ୧୦୦ଟି ବିମାନବନ୍ଦର ଉନ୍ନତି ଓ ବିକାଶ କରାଯିବ। ସେହିପରି ୩,୬୬୧ କୋଟି ଟଙ୍କା ବିନିଯୋଗରେ ୨୦୦ଟି ଆଧୁନିକ ହେଲିପ୍ୟାଡ୍ ତିଆରି କରାଯିବ, ଯାହା ଦୂରବର୍ତ୍ତୀ ଓ ପାହାଡ଼ିଆ ଅଞ୍ଚଳରେ ଶେଷ ମାଇଲ୍ ସଂଯୋଗ ସୁଧାରିବ।

ଏହା ସହିତ ଆଞ୍ଚଳିକ ରୁଟ୍‌ଗୁଡ଼ିକୁ ଚାଲୁ ରଖିବା ପାଇଁ ବିମାନ ସେବା ପ୍ରଦାନକାରୀ କମ୍ପାନୀମାନେ ୧୦ ବର୍ଷ ମଧ୍ୟରେ ୧୦,୦୪୩ କୋଟି ଟଙ୍କାର ‘ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ’ ସହାୟତା ପାଇବେ। ଯୋଜନାରେ ସ୍ୱଦେଶୀ ବିମାନ ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଇଛି, ଯେଉଁଥିରେ ହେଲିକପ୍ଟର ଓ ଛୋଟ ବିମାନ ଅନ୍ତର୍ଭୁକ୍ତ।

ଉଲ୍ଲେଖନୀୟ ଯେ, ୨୦୧୬ରେ ଆରମ୍ଭ ହୋଇଥିବା ମୂଳ ଉଡାନ୍‌ ଯୋଜନା ଅଧୀନରେ ପୂର୍ବରୁ ୯୫ଟି ବିମାନବନ୍ଦର, ହେଲିପ୍ୟାଡ୍ ଓ ୱାଟର ଏରୋଡ୍ରୋମରେ ୬୬୩ଟି ରୁଟ୍‌ ଚାଲୁ ହୋଇଛି। ଏହା ମାଧ୍ୟମରେ ୩.୪୧ ଲକ୍ଷରୁ ଅଧିକ ଫ୍ଲାଇଟ୍ ଚାଲିଥିବା ବେଳେ ୧୬୨ ଲକ୍ଷରୁ ଅଧିକ ଯାତ୍ରୀ ସୁବିଧା ପାଇଛନ୍ତି।

ନୂତନ ଉଡାନ୍‌ ୨.୦ ଯୋଜନା ଦେଶର ଆଞ୍ଚଳିକ ବିମାନ ଯାତ୍ରାକୁ ଆଗାମୀ ଦଶକରେ ଏକ ନୂଆ ଦିଗ ଦେବ ବୋଲି ସରକାର ଆଶା କରୁଛନ୍ତି।