ପ୍ରୟାଗରାଜ: Allahabad High Court ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛି ଯେ, ଜଣେ ବିବାହିତ ପୁରୁଷ ଯଦି ଜଣେ ବୟସ୍କ ମହିଳାଙ୍କ ସହ ସହମତି ଭିତ୍ତିରେ ଲିଭ୍-ଇନ୍ ସମ୍ପର୍କରେ ରହନ୍ତି, ତେବେ ସେହି ସମ୍ପର୍କକୁ ଆଇନ ଅନୁଯାୟୀ ଅପରାଧ ବୋଲି ଗଣାଯିବ ନାହିଁ।

ଉତ୍ତରପ୍ରଦେଶର ଶାହଜାହାନପୁରର ଏକ ଦମ୍ପତିଙ୍କ ଦ୍ୱାରା ଦାଖଲ ହୋଇଥିବା ରିଟ୍ ପିଟିସନର ଶୁଣାଣି ସମୟରେ ହାଇକୋର୍ଟ ଏହି ମତ ପ୍ରକାଶ କରିଛି। ଏହି ଦମ୍ପତି ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ପୁଲିସ ମାମଲାକୁ ଖାରଜ କରିବା ସହ ସୁରକ୍ଷା ଦାବି କରିଥିଲେ।

କୋର୍ଟ ସ୍ପଷ୍ଟ କରିଛି ଯେ ‘ନୈତିକତା’ ଓ ‘ଆଇନ’ ଦୁଇଟି ଭିନ୍ନ ବିଷୟ। କେବଳ ସାମାଜିକ ମତ କିମ୍ବା ନୈତିକ ଭାବନା ଆଧାରରେ କୌଣସି ବ୍ୟକ୍ତିଙ୍କ ଅଧିକାରକୁ ସୀମିତ କରାଯାଇପାରିବ ନାହିଁ।

ମାମଲାରେ ଅଭିଯୋଗ ଥିଲା ଯେ ମହିଳାଙ୍କୁ ପ୍ରଲୋଭନ ଦେଇ ନେଇଯାଇଥିଲେ। ଏହି ଆଧାରରେ Bharatiya Nyaya Sanhita Section 87 ଅନୁଯାୟୀ ପୁଲିସ ମାମଲା ରୁଜୁ କରିଥିଲା। କିନ୍ତୁ ଶୁଣାଣି ସମୟରେ ଆବେଦନକାରୀ ପକ୍ଷ କହିଥିଲେ ଯେ ଉଭୟେ ବୟସ୍କ ଏବଂ ସହମତି ସହ ଏକାସାଥିରେ ରହୁଛନ୍ତି।

ଦୁଇ ନ୍ୟାୟାଧୀଶ Justice JJ MunirJustice Tarun Saxenaଙ୍କ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ ଏହି ପରିସ୍ଥିତିରେ କୌଣସି ଦୃଶ୍ୟମାନ ଅପରାଧ ଦେଖାଯାଉନାହିଁ। ତେଣୁ ଆବେଦନକାରୀଙ୍କୁ ଗିରଫ ନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୮ରେ ହେବାକୁ ନିର୍ଦ୍ଧାରିତ ହୋଇଛି।