ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ଓ ହର୍ମୁଜ ପ୍ରଣାଳୀରେ ଅସୁବିଧା ସତ୍ତ୍ୱେ ଭାରତ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ଏଲପିଜି ବୋଝା ନେଇ ‘ଜଗ୍ ବସନ୍ତ’ ନାମକ ଟ୍ୟାଙ୍କର ଶୁକ୍ରବାର ଗୁଜରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଏହି ଜାହାଜରେ ପ୍ରାୟ ୪୨,୦୦୦ ମେଟ୍ରିକ୍ ଟନ୍ ଏଲପିଜି ରହିଛି।
ଯୁଦ୍ଧ ଯୋଗୁ ହର୍ମୁଜ ପ୍ରଣାଳୀରେ ନାଭିଗେସନ୍ ସମସ୍ୟା ସୃଷ୍ଟି ହୋଇଥିବାରୁ, ଏହି ଟ୍ୟାଙ୍କର ସାଧାରଣ ପଥ ବଦଳାଇ ବିକଳ୍ପ ମାର୍ଗରେ ଭାରତକୁ ପହଞ୍ଚିଛି। ଜାହାଜଟି କେଶ୍ମ-ଲାରାକ ଚ୍ୟାନେଲ ଦେଇ ହର୍ମୁଜ ପ୍ରଣାଳୀ ପାର କରିଥିବା ସୂଚନା ମିଳିଛି। ଏହା ପାଇଁ ଇରାନ ପକ୍ଷରୁ ପୂର୍ବ ଅନୁମତି ମଧ୍ୟ ନିଆଯାଇଥିବା ଅନୁମାନ କରାଯାଉଛି।
‘ଜଗ୍ ବସନ୍ତ’ ସହ ଆଉ ଏକ ଏଲପିଜି ଟ୍ୟାଙ୍କର ‘ପାଇନ୍ ଗ୍ୟାସ୍’ ମଧ୍ୟ ସୋମବାର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହା ପୂର୍ବରୁ ‘ନନ୍ଦାଦେବୀ’ ଓ ‘ଶିବାଲିକ୍’ ନାମକ ଦୁଇଟି ଟ୍ୟାଙ୍କର ଗୁଜରାଟର ବନ୍ଦରଗୁଡ଼ିକରେ ପହଞ୍ଚିଥିଲେ। ଏହି ଦୁଇ ଜାହାଜରେ ମିଶି ପ୍ରାୟ ୯୨,୦୦୦ ମେଟ୍ରିକ୍ ଟନ୍ ଏଲପିଜି ଭାରତକୁ ଆଣାଯାଇଥିଲା।
ବର୍ତ୍ତମାନର ପରିସ୍ଥିତିରେ ଏହି ଏଲପିଜି ଯୋଗାଣ ଭାରତର ଜଳାନି ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ମନାଯାଉଛି।





