ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ୨୦୨୬-୨୭ ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ସହିତ ଦେଶରେ ଅନେକ ନୂତନ ନିୟମ ଓ ପରିବର୍ତ୍ତନ ଲାଗୁ ହେବ, ଯାହା ସାଧାରଣ ଲୋକଙ୍କ ଦୈନିକ ଜୀବନରେ ସିଧାସଳଖ ପ୍ରଭାବ ପକାଇବ।
ନୂଆ ନିୟମମାନଙ୍କ ମଧ୍ୟରେ ଆୟକର ବ୍ୟବସ୍ଥାରୁ ଆରମ୍ଭ କରି ଫାସ୍ଟ୍ୟାଗ୍ ଶୁଳ୍କ, ଏଲ୍ପିଜି ଦର ଓ ବ୍ୟାଙ୍କିଂ ସେବା ପର୍ଯ୍ୟନ୍ତ ବହୁ କ୍ଷେତ୍ର ଅନ୍ତର୍ଭୁକ୍ତ ଅଛି।
ମୁଖ୍ୟ ପରିବର୍ତ୍ତନଗୁଡ଼ିକ ହେଲା:
୧. ଆୟକର ନିୟମରେ ପରିବର୍ତ୍ତନ:
୧୯୬୧ର ପୁରୁଣା ଆୟକର ଆଇନକୁ ବଦଳାଇ ଏକ ସରଳ ଓ ସଂକ୍ଷିପ୍ତ ନୂଆ ନିୟମ ଲାଗୁ କରାଯିବ।
୨. ପାନ୍ କାର୍ଡ ଆବେଦନ ସହଜ:
ପାନ୍ କାର୍ଡ ପାଇଁ ଏବେ କେବଳ ଆଧାରକୁ ପ୍ରମାଣ ଭାବେ ଗ୍ରହଣ କରାଯିବ। ଅନ୍ୟ ଡକ୍ୟୁମେଣ୍ଟ ଦେବା ଆବଶ୍ୟକ ରହିବ ନାହିଁ।
୩. ରେଳ ଟିକେଟ୍ ବାତିଲ ନିୟମ କଡା:
ଟ୍ରେନ୍ ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କଲେ ଆଉ ରିଫଣ୍ଡ ମିଳିବ ନାହିଁ।
୪. ଏଲ୍ପିଜି ଦରରେ ସମ୍ଭାବ୍ୟ ପରିବର୍ତ୍ତନ:
ପ୍ରତି ମାସର ପ୍ରଥମ ଦିନରେ ଏଲ୍ପିଜି ଓ ବିମାନ ଇନ୍ଧନ ଦର ସଂଶୋଧନ ହେବ। ଏପ୍ରିଲ୍ରେ ଦର ବୃଦ୍ଧି କିମ୍ବା କମିବାକୁ ନେଇ ଅନିଶ୍ଚିତତା ରହିଛି।
୫. ଫାସ୍ଟ୍ୟାଗ୍ ଶୁଳ୍କ ବୃଦ୍ଧି:
ବାର୍ଷିକ ପାସ୍ ଶୁଳ୍କ ୩୦୦୦ ଟଙ୍କାରୁ ବଢ଼ି ୩୦୭୫ ଟଙ୍କା ହେବ।
୬. ନୂଆ ଶ୍ରମ ସଂହିତା ଲାଗୁ:
କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ ନିୟମ ଲାଗୁ ହେବା ସହ ବେତନ ଗଠନରେ ପରିବର୍ତ୍ତନ ଆସିପାରେ। ହାତକୁ ଆସୁଥିବା ବେତନ କମିପାରେ, କିନ୍ତୁ ଗ୍ରାଚୁଇଟି ବୃଦ୍ଧି ହେବ।
୭. ସୁନା ବଣ୍ଡ୍ରେ ଟିକସ:
ସୋଭରେନ୍ ଗୋଲ୍ଡ ବଣ୍ଡ୍ (SGB) ଉପରେ ପୁଞ୍ଜି ଲାଭ କର ଏପ୍ରିଲ୍ରୁ ଲାଗୁ ହେବ।
୮. ଏଟିଏମ୍ ବ୍ୟବହାର ନିୟମ ବଦଳ:
କିଛି ବ୍ୟାଙ୍କ, ବିଶେଷକରି ବନ୍ଧନ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏଟିଏମ୍ ଶୁଳ୍କ ଓ ବ୍ୟବହାର ନିୟମରେ ପରିବର୍ତ୍ତନ କରିଛନ୍ତି।





