ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ Appointments Committee of the Cabinet (ACC) ୧୪ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ବଦଳି ଓ ପଦୋନ୍ନତିକୁ ଅନୁମୋଦନ କରିଛି। ଏହା ପରେ କେନ୍ଦ୍ର କାର୍ମିକ, ଜନାଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ପକ୍ଷରୁ ଆଧିକାରିକ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟର ସଚିବ ନିବେଦିତା ଶୁକ୍ଲା ବର୍ମାଙ୍କୁ ପ୍ରଶାସନିକ ସଂସ୍କାର ଓ ଜନାଭିଯୋଗ ବିଭାଗର ସଚିବ ଭାବେ ବଦଳି କରାଯାଇଥିବା ସହ ପେନ୍‌ସନ ଓ ପେନ୍‌ସନର୍ସ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି।

ସେହିପରି, ଚଞ୍ଚଳ କୁମାରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ, ନରେନ୍ଦ୍ର ଭୂଷଣଙ୍କୁ ଜମି ସମ୍ବଳ ବିଭାଗ ସଚିବ ଏବଂ ଚନ୍ଦ୍ର ଶେଖର କୁମାରଙ୍କୁ ଜାତୀୟ ବୃଷ୍ଟିପୋଷିତ ଅଞ୍ଚଳ କର୍ତ୍ତୃପକ୍ଷର ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଭାବେ ନିଯୁକ୍ତ କରାଯାଇଛି।

ଏହା ସହିତ ସଞ୍ଜୟ ଜାଜୁଙ୍କୁ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ, ଶ୍ରୀବାସ୍ତବ କ୍ରିଷ୍ଣାଙ୍କୁ ସଂଖ୍ୟାଲଘୁ ମନ୍ତ୍ରଣାଳୟ ସଚିବ ଏବଂ ତେଜବୀର ସିଂହଙ୍କୁ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି।

ଅନ୍ୟାନ୍ୟ ବଦଳିମାନଙ୍କ ମଧ୍ୟରେ ସଞ୍ଜୟ ଲୋହିଆଙ୍କୁ ଆର୍ଥିକ ସେବା ବିଭାଗର ସ୍ୱତନ୍ତ୍ର ସଚିବ, ରୋହିତ କୁମାରଙ୍କୁ ଗ୍ରାମାଞ୍ଚଳ ବିକାଶ ବିଭାଗ ସଚିବ, ଭାରତ ହରବଂଶଲାଲ ଖେରାଙ୍କୁ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ (MSME) ମନ୍ତ୍ରଣାଳୟର OSD, ଅଭିଷେକ ସିଂହଙ୍କୁ National Testing Agency (NTA) ର ମହାନିର୍ଦ୍ଦେଶକ ଓ ଭୁବନେଶ କୁମାରଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ କରାଯାଇଛି।

ପଦୋନ୍ନତି ଭିତରେ ସଞ୍ଜୟ ରସ୍ତୋଗିଙ୍କୁ ସ୍ୱତନ୍ତ୍ର ସଚିବ ଭାବେ ଉନ୍ନତ କରାଯାଇ National Archives of India ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସଜ୍ଜନ ସିଂହ ଯାଦବଙ୍କୁ ମଧ୍ୟ ସ୍ୱତନ୍ତ୍ର ସଚିବ ପଦକୁ ପଦୋନ୍ନତି ଦିଆଯାଇ ଖର୍ଚ୍ଚ ବିଭାଗରେ ନିଯୁକ୍ତ କରାଯାଇଛି।

ଏହି ବଦଳି ଓ ପଦୋନ୍ନତିକୁ କେନ୍ଦ୍ର ପ୍ରଶାସନର କାର୍ଯ୍ୟକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ଦେଖାଯାଉଛି।