ଭୁବନେଶ୍ୱର: ରାଜ୍ୟରେ ଡବଲ୍‌ ଇଞ୍ଜିନ୍ ସରକାର ନାମରେ କ୍ଷମତାରେ ଆସିଥିବା ବିଜେପି ଓଡିଶାବାସୀଙ୍କୁ ‘ଡବଲ୍ ଧୋକା’ ଦେଇଛି ବୋଲି ବିଜୁ ଜନତା ଦଳ (ବିଜେଡି) ତୀବ୍ର ଅଭିଯୋଗ କରିଛି। ରାଜ୍ୟର ଅଧିକାର ଓ ସୁବିଧା ବଢ଼ିବା ପରିବର୍ତ୍ତେ ଏହାକୁ କମାଇ ଦିଆଯାଉଛି ବୋଲି ଦଳ କହିଛି।

ଶୁକ୍ରବାର ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ଦଳର ମୁଖପାତ୍ର ଡ଼ଃ ଲେନିନ ମହାନ୍ତି ଏହି ଅଭିଯୋଗ ଉଠାଇଥିଲେ। ସେମାନଙ୍କ ମତରେ, ଓଡିଶା ଦିବସ ପାଳନ ସମୟରେ ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ପୂର୍ବତଟ ରେଳବାଇରୁ ବାହାର କରି ଦକ୍ଷିଣତଟ ରେଳବାଇରେ ମିଶାଯାଇଥିବା ନିଷ୍ପତ୍ତି ରାଜ୍ୟ ପାଇଁ ଅନ୍ୟାୟ।

ବିଜେଡି କହିଛି ଯେ, ପୂର୍ବତଟ ରେଳବାଇ ଦେଶର ସବୁଠାରୁ ଅଧିକ ରାଜସ୍ୱ ଦେଇଥିବା ଡିଭିଜନ ହେବା ସତ୍ତ୍ୱେ ଏହାକୁ ଦୁର୍ବଳ କରିବା ପାଇଁ ପ୍ରୟାସ ଚାଲିଛି। ଏହା ପୂର୍ବରୁ କୋରାପୁଟ ଓ ରାୟଗଡା ଜିଲ୍ଲାର କିଛି ଅଞ୍ଚଳକୁ ମଧ୍ୟ ଦକ୍ଷିଣତଟ ରେଳବାଇରେ ମିଶାଯାଇଥିଲା ବୋଲି ଦଳ ଉଲ୍ଲେଖ କରିଛି।

ଦଳ ଆହୁରି କହିଛି ଯେ, ଓଡିଶାର ୨୦ ଜଣ ବିଜେପି ସାଂସଦ ଓ ରାଜ୍ୟର ନେତୃତ୍ୱ ଏହି ପ୍ରସଙ୍ଗରେ ଚୁପ୍ ରହିଛନ୍ତି, ଯାହା ଲୋକମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି। ଏହା ସହ ଜଣେ ଓଡିଆ ରେଳମନ୍ତ୍ରୀ ଥିବା ସତ୍ତ୍ୱେ ରାଜ୍ୟର ସ୍ୱାର୍ଥ ସୁରକ୍ଷା ହେଉନଥିବାକୁ ବିଜେଡି ଦୁଃଖ ପ୍ରକାଶ କରିଛି।

ଏପରିକି ରାଜ୍ୟର କମ୍‌ରେ କମ୍‌ ୬ଟି ଜିଲ୍ଲା ଏଯାବତ୍‌ ରେଳ ସଂଯୋଗରୁ ବଞ୍ଚିତ ରହିଛି ବୋଲି ଦଳ ଦାବି କରିଛି। ତେଣୁ, ସରକାର ନେଇଥିବା ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ରେଳପଥକୁ ପୂର୍ବତଟ ରେଳବାଇରେ ମିଶାଇ ଏହାକୁ ଆହୁରି ସୁଦୃଢ଼ କରିବାକୁ ବିଜେଡି ଦାବି କରିଛି।