ଭୁବନେଶ୍ୱର: ପୂର୍ବତଟ ରେଳବାଇରୁ ପଲାସା ଓ ଇଚ୍ଛାପୁରମ ସେକ୍ସନ ବାହାର କରାଯାଇଥିବା ପ୍ରସଙ୍ଗକୁ ନେଇ ରାଜ୍ୟର ରାଜନୀତି ତୀବ୍ର ହୋଇଯାଇଛି। ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏହାକୁ ବିଜେପି ନେତୃତ୍ୱାଧୀନ ସରକାରଙ୍କ ବିଫଳତା ବୋଲି ଆକ୍ରମଣ କରିଥିବାବେଳେ, ଏହାର ଉତ୍ତରରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରୁ ଗୋଟିଏ ଇଞ୍ଚ ମଧ୍ୟ ରେଳପଥ ଅନ୍ୟ ରାଜ୍ୟକୁ ଯାଉନାହିଁ। ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ଓ ଭ୍ରମସୃଷ୍ଟିକାରୀ ବୋଲି ସରକାର କହିଛନ୍ତି।

ସରକାର ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ରାଜ୍ୟରେ ରେଳ ଢାଞ୍ଚା ବିକାଶ ପାଇଁ ୯୩,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ଗତ ତିନି ବର୍ଷ ଧରି ପ୍ରତିବର୍ଷ ୧୦,୦୦୦ କୋଟି ଟଙ୍କାରୁ ଅଧିକ ରେଳ ବଜେଟ୍‌ ଆବଣ୍ଟନ ହୋଇଥିବା ଓ ୨୦୦୯-୧୪ ସମୟ ସହିତ ତୁଳନା କଲେ ଏହା ୧୩ ଗୁଣା ବୃଦ୍ଧି ପାଇଛି।

ଏହାସହିତ ରାୟଗଡା ରେଳ ଡିଭିଜନକୁ ଅନୁମୋଦନ ମିଳିଥିବା ଓ ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସରକାର ସୂଚନା ଦେଇଛନ୍ତି। ସର୍ବାଧିକ ରାଜସ୍ୱ ଉତ୍ପାଦନ କରୁଥିବା କେକେ ଲାଇନ୍‌ (କୋଥାଭାଲସା-କିରାଣ୍ଡୁଲ) ରାୟଗଡା ଡିଭିଜନ ଅଧୀନରେ ରହିଥିବାରୁ ପୂର୍ବତଟ ରେଳବାଇ ପାଇଁ କୌଣସି ରାଜସ୍ୱ କ୍ଷତି ହେବ ନାହିଁ ବୋଲି କୁହାଯାଇଛି।

ସେପରି, ପଲାସା-ଇଚ୍ଛାପୁରମ ସେକ୍ସନରେ ବଡ଼ ମାଲବାହୀ ଆୟ ଉତ୍ପାଦନ କରୁଥିବା ଷ୍ଟେସନ ନଥିବାରୁ ମଧ୍ୟ ପୂର୍ବତଟ ରେଳବାଇରେ କୌଣସି ଅର୍ଥନୈତିକ ପ୍ରଭାବ ପଡ଼ିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଏହି ସ୍ପଷ୍ଟୀକରଣ ପରେ ଏହି ପ୍ରସଙ୍ଗରେ ରାଜ୍ୟର ରାଜନୀତି ଆହୁରି ଗରମ ହେବା ସମ୍ଭାବନା ରହିଛି।