କୋରାପୁଟ: ଓଡ଼ିଶାର କୋରାପୁଟ ଜିଲ୍ଲାରେ ଶନିବାର ଦେରରାତିରେ ମଧ୍ୟମ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାତି ପ୍ରାୟ ୧୧.୩୧ରେ ୪.୪ ମାପର ଏହି କମ୍ପନ କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।
ଏହାର ପ୍ରଭାବ କୋରାପୁଟ ସହିତ ସୁନାବେଡା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଦାମନଜୋଡି, ଲମତାପୁଟ, ଜୟପୁର ଓ ବୈପାରୀଗୁଡା ଅଞ୍ଚଳରେ ମଧ୍ୟ ଦେଖାଯାଇଥିଲା। ହଠାତ୍ କମ୍ପନ ସହ ପ୍ରଚଣ୍ଡ ଶବ୍ଦ ହେବାରୁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। କେତେକ ସ୍ଥାନରେ ଘର ଓ ଜିନିଷପତ୍ର କମ୍ପିଉଠିଥିବା ଦେଖାଯାଇଥିଲା।
ଏହି ଭୂକମ୍ପର ପ୍ରଭାବ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଆରକୁ, ପାଡେରୁ, ପେଡାବାୟାଲୁ ଓ ହୁକମପେଟା ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିବା ସୂଚନା ମିଳିଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ସୁନାବେଡାରୁ ପ୍ରାୟ ୩୩ କିମି ଦକ୍ଷିଣ-ପଶ୍ଚିମ ଦିଗରେ ରହିଥିଲା ଓ ଏହା ଭୂପୃଷ୍ଠରୁ ପ୍ରାୟ ୫ କିମି ଗଭୀରତାରେ ଘଟିଥିଲା।
ତଥାପି, ଏପର୍ଯ୍ୟନ୍ତ କୌଣସି ଜୀବହାନି କିମ୍ବା ବୃହତ୍ ସମ୍ପତ୍ତିକ୍ଷତିର ସୂଚନା ମିଳିନାହିଁ। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।





