କିଭ୍: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବୁଧବାର ରାତିରେ ରୁଷ ଦ୍ୱାରା ୟୁକ୍ରେନର ରାଜଧାନୀ କିଭ୍‌ରେ ଭୟାବହ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ସହର କମ୍ପି ଉଠିଥିବାବେଳେ ମୋଟ ୧୬ ଜଣଙ୍କର ମୃତ୍ୟୁ ଓ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ରୁଷ ପକ୍ଷରୁ ରାତିସାରା ଶତାଧିକ ଡ୍ରୋନ୍ ଏବଂ ଡଜନେ ଡଜନ କ୍ଷେପଣାସ୍ତ୍ର ମାଧ୍ୟମରେ ସାଧାରଣ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ଗତ ଦୁଇ ସପ୍ତାହ ମଧ୍ୟରେ ଏହାକୁ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା ସୋସିଆଲ୍ ମିଡିଆରେ କହିଛନ୍ତି ଯେ, ଏହି ଆକ୍ରମଣରେ ପ୍ରାୟ ୭୦୦ ଡ୍ରୋନ୍ ସହ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି। ଏହାର ପ୍ରଧାନ ଲକ୍ଷ୍ୟ ସାଧାରଣ ନାଗରିକ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଆକ୍ରମଣରେ କିଭ୍‌ରେ ଜଣେ ୧୨ ବର୍ଷର ଶିଶୁ ସହିତ ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ, ଓଡେସାରେ ୯ ଜଣ ଓ ଡିନିପ୍ରୋରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଜାପୋରିଝିଆରେ ମଧ୍ୟ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

ୟୁକ୍ରେନୀୟ ବାୟୁସେନା ତଥ୍ୟ ଅନୁଯାୟୀ, ୭୦୩ ଡ୍ରୋନ୍‌ରୁ ୬୬୭ଟିକୁ ଗୁଳି କରି ଖସାଇ ଦିଆଯାଇଥିଲା। ଏଥିରେ ୬୩୬ଟି ‘ଶାହେଦ୍’ ଡ୍ରୋନ୍ ସମେତ ଅନ୍ୟାନ୍ୟ ଡ୍ରୋନ୍ ରହିଥିଲା। ତଥାପି, ୨୦ ଡ୍ରୋନ୍ ଓ ୧୨ କ୍ଷେପଣାସ୍ତ୍ର ୨୬ଟି ଅଞ୍ଚଳକୁ ଆକ୍ରମଣ କରିବାରେ ସଫଳ ହୋଇଛି।

ଏହି ଆକ୍ରମଣକୁ ଗୁରୁତର ଯୁଦ୍ଧ ଅପରାଧ ବୋଲି ଅଭିହିତ କରି ୟୁକ୍ରେନ ପକ୍ଷରୁ ଏହାକୁ ତତ୍କାଳ ବନ୍ଦ କରିବା ସହ ଦାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।