ନୂଆଦିଲ୍ଲୀ: ପଶ୍ଚିମ ଏସିଆର ଗୁରୁତ୍ୱପୂର୍ଣ୍ଣ ଜଳପଥ Strait of Hormuz ରେ ଶନିବାର ଉତ୍ତେଜନା ବଢ଼ିଯାଇଛି। ହର୍ମୁଜ ପ୍ରଣାଳୀ ପାର୍‌ ହେବା ବେଳେ ଭାରତୀୟ ପତାକା ବହନକାରୀ ଟ୍ୟାଙ୍କର ‘ଜଗ୍‌ ଅର୍ଣ୍ଣବ’ ସହ ଦୁଇଟି ଜାହାଜ ଉପରେ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି।

ସାମୁଦ୍ରିକ ସୁରକ୍ଷା ସୂତ୍ର ଅନୁଯାୟୀ, Islamic Revolutionary Guard Corps (ଆଇଆରଜିସି)ର ଗନବୋଟ୍‌ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲେ। ଏଥିରେ ଭାରତୀୟ ଜାହାଜ ‘ଜଗ୍‌ ଅର୍ଣ୍ଣବ’ ସହ ‘ସନ୍‌ମାର୍‌ ହେରାଲ୍ଡ’ ମଧ୍ୟ ଲକ୍ଷ୍ୟବସ୍ତୁ ହୋଇଥିଲା।

ତେବେ UK Maritime Trade Operations ପକ୍ଷରୁ କୁହାଯାଇଛି ଯେ ଗୁଳି ଲାଗିଥିଲେ ମଧ୍ୟ ଜାହାଜ ଓ ନାବିକମାନେ ସୁରକ୍ଷିତ ଅଛନ୍ତି। ‘ଜଗ୍‌ ଅର୍ଣ୍ଣବ’ ଇରାକ୍‌ରୁ ପ୍ରାୟ ୨ ମିଲିୟନ୍‌ ବ୍ୟାରେଲ ଅଶୋଧିତ ତୈଳ ନେଇ ଭାରତ ଦିଗରେ ଯାଉଥିବା ଜଣାପଡ଼ିଛି।

ଏହି ଘଟଣା ପରେ ହର୍ମୁଜ ପ୍ରଣାଳୀରେ ଯାତାୟାତ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଟ୍ୟାଙ୍କର ଟ୍ରାକିଂ ସୂଚନା ଅନୁଯାୟୀ ଅନେକ ଜାହାଜ ମଧ୍ୟପଥରୁ ଫେରିଯାଇଛନ୍ତି। କେତେକ ଭିଏଚଏଫ୍‌ ବ୍ରଡକାଷ୍ଟ ମାଧ୍ୟମରେ ଏହି ଜଳପଥକୁ ‘ବନ୍ଦ’ ଘୋଷଣା କରାଯାଇଥିବା ଖବର ମିଳିଛି।

ଅନ୍ୟପଟେ, Gulf of Oman ରେ ଭାରତୀୟ ନୌସେନାର କିଛି ଯୁଦ୍ଧଜାହାଜ ରହିଥିବା ସତ୍ତ୍ୱେ ହର୍ମୁଜ ପ୍ରଣାଳୀ ମଧ୍ୟରେ କୌଣସି ମୁତୟନ ନଥିବା କୁହାଯାଇଛି। ଭାରତ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ମୁକ୍ତ ନୌପରିବହନ ନିଶ୍ଚିତ କରିବାକୁ ଦାବି କରିଛି।

ଏହା ସହିତ ଇରାନର ସର୍ବୋଚ୍ଚ ନେତା Mojtaba Khamenei ଟେଲିଗ୍ରାମରେ ଜାରି କରିଥିବା ବାର୍ତ୍ତାରେ କଠୋର ଚେତାବନୀ ଦେଇ କହିଛନ୍ତି ଯେ ଇରାନର ନୌସେନା ଶତ୍ରୁମାନଙ୍କୁ ଗୁରୁତର ପରିଣାମ ଦେଖାଇପାରେ। ତାଙ୍କର ଏହି ବାର୍ତ୍ତା ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ତୀବ୍ର କରିଦେଇପାରେ ବୋଲି ଆନ୍ତର୍ଜାତୀୟ ମହଳରେ ଆଶଙ୍କା ବ୍ୟକ୍ତ ହେଉଛି।