ରେଙ୍ଗାଲି/ସମ୍ବଲପୁର: ଓଡ଼ିଶାକୁ ବିଶ୍ୱସ୍ତରୀୟ ଇସ୍ପାତ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁରର ରେଙ୍ଗାଲିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ JSW ଷ୍ଟିଲ୍ ଲିମିଟେଡ୍ ଓ ଜାପାନର JFE ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ଯୁଗ୍ମ ସହଭାଗିତା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ବିଶେଷକରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନକୁ ଗୁରୁତ୍ୱ ଦେଇ, ଇଲେକ୍ଟ୍ରିକ୍ ଯାନ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ।

ଏହି ଯୋଗାଯୋଗ ମାଧ୍ୟମରେ ଜାପାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରାୟ ୧୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହା ଫଳରେ JSW ଷ୍ଟିଲର ବର୍ତ୍ତମାନ ଉତ୍ପାଦନ କ୍ଷମତାରେ ବାର୍ଷିକ ୧୦ ନିୟୁତ ଟନ୍ (10 MTPA) ବୃଦ୍ଧି ହେବ, ଯାହା ଓଡ଼ିଶାକୁ ଗ୍ଲୋବାଲ୍ ଷ୍ଟିଲ୍ ମାର୍କେଟରେ ଆହୁରି ସଶକ୍ତ କରିବ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରାଜ୍ୟ ଧାରଣ କରିଛି ଏବଂ ଏହା ପାଇଁ ଆବଶ୍ୟକ ସମ୍ବଳ, ନୀତି ଓ ଭିତ୍ତିଭୂମି ପୂରାପୁରି ଉପଲବ୍ଧ ଅଛି।

ଏହା ସହିତ ସେ ‘ସମ୍ବଲପୁର ଗ୍ରୋଥ୍ କରିଡର’ ଗଠନ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ରାଉରକେଲା, ଝାରସୁଗୁଡ଼ା, ବରଗଡ଼ ଓ ଦେବଗଡ଼କୁ ଯୋଡ଼ି ଏହି କରିଡରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଓ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ଆଶା ରହିଛି।

ମୁଖ୍ୟମନ୍ତ୍ରୀ ଜାପାନୀୟ କମ୍ପାନୀକୁ କେନ୍ଦୁଝରରେ ନିବେଶ ପାଇଁ ଆହ୍ୱାନ କରି କହିଛନ୍ତି, ଏଠାରେ ଉଚ୍ଚମାନର ଲୌହ ପଥର ଓ ଭଲ ପରିବହନ ବ୍ୟବସ୍ଥା ଥିବାରୁ ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦% ପର୍ଯ୍ୟନ୍ତ କମିପାରିବ।

ସେ ଆହୁରି କହିଛନ୍ତି ଯେ, JSW ଓ JFE ମଧ୍ୟରେ ଏହି ସହଭାଗିତା ଓଡ଼ିଶାରେ ଉଚ୍ଚମାନର ଇସ୍ପାତ ଉତ୍ପାଦନକୁ ନୂଆ ଗତି ଦେବ। ମୋଟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ସହ ଏହି ପ୍ରକଳ୍ପ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ପୂରଣରେ ମୂଲ୍ୟବାନ ଭୂମିକା ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।