ନୂଆଦିଲ୍ଲୀ:
ଦେଶରେ ତିବ୍ର ଗ୍ରୀଷ୍ମ ଜାରି ଥିବା ବେଳେ ମୌସୁମୀ ନେଇ ଆଶାଜନକ ସଙ୍କେତ ମିଳିଛି। ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ଉତ୍ତର, କେନ୍ଦ୍ର ଓ ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୩-୪୪ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଆଗାମୀ ଦିନରେ ଅଧିକ ଉତ୍ତାପ ବଢ଼ିବାର ସତର୍କବାଣୀ ଜାରି କରିଛି।
ଏହି ତାପଦାହ ମଧ୍ୟରେ ୟୁରୋପୀୟ ସେଣ୍ଟର ଫର୍ ମିଡିୟମ୍ ରେଞ୍ଜ୍ ୱେଦର ଫୋରକାଷ୍ଟ (ECMWF)ର ନୂତନ ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ଆଗୁଆ ଆସିପାରେ। ମେ ଶେଷ ପୂର୍ବରୁ ଦକ୍ଷିଣ ଭାରତରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ମୌସୁମୀ ପ୍ରଥମେ ମେ ୧୮ରୁ ୨୫ ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିପାରେ। ବର୍ତ୍ତମାନର ପାଣିପାଗ ମଡେଲ୍ଗୁଡ଼ିକ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଉପରେ ଶକ୍ତିଶାଳୀ ଦକ୍ଷିଣ-ପଶ୍ଚିମ ପବନ ବହୁଥିବା ସୂଚନା ଦେଉଛି, ଯାହା ଏହି ଅଞ୍ଚଳରେ ଭାରି ବର୍ଷାର ପରିସ୍ଥିତି ସୃଷ୍ଟି କରିପାରେ। ଏହି ସମୟରେ ସାଧାରଣ ଠାରୁ ୩୦ରୁ ୬୦ ମିଲିମିଟର ଅଧିକ ବର୍ଷା ହେବାର ଆଶା ରହିଛି।
ସେହିପରି, ଆଣ୍ଡାମାନ ଉତ୍ତର ଅଞ୍ଚଳରେ ଗୋଟିଏ ଗ୍ରୀଷ୍ମମଣ୍ଡଳୀୟ ପ୍ରଣାଳୀ ଗଠିତ ହେବାର ୨୦-୪୦ ପ୍ରତିଶତ ସମ୍ଭାବନା ମଧ୍ୟ ଥିବା କୁହାଯାଇଛି। ମେ ୨୫ରୁ ଜୁନ୍ ୧ ମଧ୍ୟରେ ମୌସୁମୀ ପଶ୍ଚିମ ଓ ଉତ୍ତର ଦିଗକୁ ଆଗକୁ ବଢ଼ିବାର ପୂର୍ବାନୁମାନ ରହିଛି।
ଏହା ସହିତ, ଦକ୍ଷିଣ-ପୂର୍ବ ଆରବ ସାଗରରେ ଶକ୍ତିଶାଳୀ ପଶ୍ଚିମା ପବନ ବିକାଶ ପାଇବାର ସମ୍ଭାବନା ଥିବାରୁ ମୌସୁମୀ ବାୟୁ ଶୀଘ୍ର ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳକୁ ପହଞ୍ଚିପାରେ। ଏହାର ପ୍ରଭାବରେ କେରଳ ଓ ତାମିଲନାଡୁର ଦକ୍ଷିଣ ଅଞ୍ଚଳରେ ସାଧାରଣଠାରୁ ଅଧିକ ବର୍ଷା ହେବା ଆଶା କରାଯାଉଛି।
ବିଶେଷଜ୍ଞମାନଙ୍କ ମତାନୁସାରେ, ଯଦି ବାୟୁମଣ୍ଡଳୀୟ ଓ ସମୁଦ୍ର ପରିସ୍ଥିତିରେ କୌଣସି ବଡ଼ ପରିବର୍ତ୍ତନ ନ ହୁଏ, ତେବେ ମେ ଶେଷ ପୂର୍ବରୁ ମୌସୁମୀ ଭାରତରେ ପ୍ରବେଶ କରିପାରେ। ଏହା ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ତିବ୍ର ଗରମରୁ ରାହାତ୍ ଦେବା ସହ କୃଷି କାର୍ଯ୍ୟକଳାପକୁ ସମୟରେ ଆରମ୍ଭ କରିବାରେ ସହାୟକ ହେବ।




