ଭୁବନେଶ୍ବର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ତେଲ ଯୋଗାଣ ଉପରେ ଚାପ ବଢ଼ୁଥିବା ମଧ୍ୟରେ ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ବିକ୍ରିକୁ ନେଇ କିଛି କଟକଣା ଲାଗୁ ହୋଇଛି। ସରକାରୀ ତୈଳ କମ୍ପାନିମାନେ ପେଟ୍ରୋଲ ପମ୍ପଗୁଡ଼ିକୁ ଏକଥରେ ୫୦ ଲିଟରରୁ ଅଧିକ ପେଟ୍ରୋଲ (MS) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ (HSD) ବିକ୍ରି ନ କରିବାକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ଉଲ୍ଲଂଘନ କଲେ ସମ୍ବନ୍ଧିତ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଇଣ୍ଡିଆନ ଅଏଲ୍ର କିଛି ପେଟ୍ରୋଲ ପମ୍ପରେ ଏହି ସମ୍ପର୍କିତ ନୋଟିସ୍ ଲାଗିଥିବା ଦେଖାଯାଇଛି। ଭୁବନେଶ୍ବର ଆର୍ଏସ୍ଏର ବିକ୍ରି ବିଭାଗ ପକ୍ଷରୁ ଜାରି ଏହି ନିର୍ଦ୍ଦେଶରେ ବଡ଼ ପରିମାଣର ଏକକାଳୀନ ବିକ୍ରିକୁ ଏଡ଼ାଇବାକୁ କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ତେଲ ଯୋଗାଣ ସ୍ଥିର ରହିବା ପାଇଁ ଏହି ପଦକ୍ଷେପ ଗ୍ରହଣ ହୋଇଥିବା କୁହାଯାଉଛି।
ଯଦିଓ ଏହି ନିୟମକୁ ନେଇ ଚର୍ଚ୍ଚା ବଢ଼ିଛି, ଇଣ୍ଡିଆନ ଅଏଲ୍ର ଓଡ଼ିଶା ସିଜିଏମ୍ କମଲ ଶୀଲ ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ପ୍ରକାର ସୀମାବଦ୍ଧତା ନାହିଁ। ତେଲର ଅଭାବ ନଥିବା ସହ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି ବୋଲି ସେ କହିଛନ୍ତି।
ତାଙ୍କ କଥା ଅନୁଯାୟୀ, ଏହି କଟକଣାର ମୂଳ ଉଦ୍ଦେଶ୍ୟ ହେଉଛି ମହଜୁଦକାରୀ ଓ ଅବୈଧ ଭାବେ ବଡ଼ ପରିମାଣରେ ତେଲ ସଂଗ୍ରହକୁ ରୋକିବା। ସାଧାରଣ ଗାଡ଼ିର ଟ୍ୟାଙ୍କର କ୍ଷମତା ଏହାଠାରୁ କମ୍ ଥିବାରୁ ସାଧାରଣ ଉପଭୋକ୍ତା ଏଥିରେ ପ୍ରଭାବିତ ହେବେନାହିଁ।
ଉଲ୍ଲେଖନୀୟ ଯେ, ରାଜ୍ୟରେ ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ୨୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ଚାଲୁ ଅଛି। ଏଥିରୁ ଇଣ୍ଡିଆନ ଅଏଲ୍ର ପମ୍ପ ସଂଖ୍ୟା ପ୍ରାୟ ୧୪୦୦ ଅଟେ। ଏହି ପରିସ୍ଥିତିରେ ନୂତନ ନିର୍ଦ୍ଦେଶ ସମସ୍ତ ପମ୍ପ ପାଇଁ ଲାଗୁ ହେବାର ସମ୍ଭାବନା ଥିବା ଆଲୋଚନା ହେଉଛି।




