ୱାସିଂଟନ: କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ପ୍ରତିଯୋଗିତା ବଢ଼ୁଥିବା ସମୟରେ ଟେକ୍ ଜାୟାଣ୍ଟ ଗୁଗୁଲ୍ ଏକ ବଡ଼ ନିବେଶ ଯୋଜନା ଘୋଷଣା କରିଛି। ଆନ୍ଥ୍ରୋପିକ୍ ନାମକ ଏଆଇ ଷ୍ଟାର୍ଟଅପ୍ରେ ଗୁଗୁଲ୍ ସର୍ବମୋଟ ୪୦ ବିଲିୟନ ଡଲାର ପର୍ଯ୍ୟନ୍ତ ନିବେଶ କରିବାକୁ ଯୋଜନା କରୁଛି ବୋଲି ସୂଚନା ମିଳିଛି।
ଦୁଇ କମ୍ପାନି ମଧ୍ୟରେ ଏକ ଦୀର୍ଘକାଳୀନ ସହଭାଗିତା ସୃଷ୍ଟି ହୋଇଛି, ଯାହା ଅନୁସାରେ ଆନ୍ଥ୍ରୋପିକ୍ ଗୁଗୁଲ୍ର କଷ୍ଟମ୍ ଚିପ୍ ଓ କ୍ଲାଉଡ୍ କମ୍ପ୍ୟୁଟିଂ ସେବା ବ୍ୟବହାର କରି ନିଜର ଏଆଇ ପ୍ରଯୁକ୍ତିକୁ ଆହୁରି ସୁଦୃଢ଼ କରିବ।
ଚୁକ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଗୁଗୁଲ୍ ପକ୍ଷରୁ ୧୦ ବିଲିୟନ ଡଲାର ନିବେଶ କରାଯିବ। ଶେଷ ୩୦ ବିଲିୟନ ଡଲାର କମ୍ପାନିର କାର୍ଯ୍ୟଦକ୍ଷତା ଓ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉପରେ ନିର୍ଭର କରିବ।
ଏହି ଡିଲ୍ ଏମିତି ସମୟରେ ହେଉଛି, ଯେତେବେଳେ ଆମାଜନ ମଧ୍ୟ ଆନ୍ଥ୍ରୋପିକ୍ରେ ବିଶାଳ ନିବେଶ ଯୋଜନା ଘୋଷଣା କରିଛି। ଆମାଜନ ପକ୍ଷରୁ ପ୍ରଥମେ ୫ ବିଲିୟନ ଡଲାର ନିବେଶ କରାଯିବା ସହ, ପରବର୍ତ୍ତୀ ଚରଣରେ ଆହୁରି ୨୦ ବିଲିୟନ ଡଲାର ନିବେଶର ସମ୍ଭାବନା ରହିଛି।
ସେହିପରି, ଆମାଜନ ୱେବ୍ ସର୍ଭିସେସ୍ (AWS) ମାଧ୍ୟମରେ ଆଗାମୀ ଦଶବର୍ଷରେ ଏଆଇ ପ୍ରଯୁକ୍ତିରେ ୧୦୦ ବିଲିୟନ ଡଲାରରୁ ଅଧିକ ନିବେଶ କରିବାକୁ ଆମାଜନ ପ୍ରତିବଦ୍ଧ ଥିବା ଜଣାପଡ଼ିଛି।
ଏହି ପର୍ଯ୍ୟାୟରେ ଗୁଗୁଲ୍ ଓ ଆମାଜନଙ୍କ ମଧ୍ୟରେ ଏଆଇ କ୍ଷେତ୍ରରେ ନିବେଶ ଓ ପ୍ରଯୁକ୍ତି ଦୌଡ଼ ଆହୁରି ତିବ୍ର ହେବାର ସଙ୍କେତ ମିଳୁଛି।




