ଭୁବନେଶ୍ୱର: ଆଗାମୀ ଜୁଲାଇ ମାସରେ ହେବାକୁଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତିକୁ ତେଜ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପୂର୍ବରୁ ସମସ୍ତ ପ୍ରସ୍ତୁତି ସମୟରୁ ଆଗରୁ ସମାପ୍ତ କରିବାକୁ ସଂପୃକ୍ତ ବିଭାଗମାନଙ୍କୁ କଢ଼ା ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ପୂର୍ବ ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ବୟନ ଅବସ୍ଥା ସମୀକ୍ଷା କରାଯାଇଥିଲା ଓ ରଥ ଟଣାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଯୋଜନା ନିଆଯାଇଛି। ବିଶେଷକରି ରଥ କର୍ଡନ ଅଞ୍ଚଳରେ ପାସ୍ଧାରୀଙ୍କ ଅତ୍ୟଧିକ ପ୍ରବେଶ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବାରୁ ଏଥର ପାସ୍ ସଂଖ୍ୟା କମାଇବାକୁ ପ୍ରସ୍ତାବ ହୋଇଛି।
ରଥ ନିର୍ମାଣ କାମ ଏପ୍ରିଲ ୨୦ରେ ଅକ୍ଷୟ ତୃତୀୟା ଅବସରରୁ ଆରମ୍ଭ ହୋଇଥିବାବେଳେ, ଏହାର ଗତିପରିଚାଳନା ପାଇଁ ବୈଷୟିକ କମିଟି ନିୟମିତ ନଜର ରଖୁଛି। ମୋଟ ୮୬୫ ଖଣ୍ଡ କାଠ ମଧ୍ୟରୁ ୫୭୬ ଖଣ୍ଡ ସଂଗ୍ରହ ସରିଥିବା ସୂଚନା ମିଳିଛି। ରଥ ଦୌଡ଼ିର ମଜବୁତି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପଟେ, ପୁରୀର ଭିତ୍ତିଭୂମି ଉନ୍ନତି କାମ ଶେଷ ପର୍ଯ୍ୟାୟରେ ଅଛି। ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଆଚାର୍ଯ୍ୟ ହରିହର ଛକର ପୁନର୍ବିକାଶ, ଦିଗବାରେଣୀରେ ମଲ୍ଟିଲେଭେଲ ପାର୍କିଂ ସହିତ ଅନ୍ୟାନ୍ୟ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ। ଶ୍ରୀଗୁଣ୍ଡିଚା ମନ୍ଦିରର ନବୀକରଣ କାମ ମଧ୍ୟ ରଥଯାତ୍ରା ପୂର୍ବରୁ ସରିବାକୁ ଯୋଜନା ହୋଇଛି।
ଯାତ୍ରୀ ସୁବିଧାକୁ ଦୃଷ୍ଟିରେ ରଖି ବଡଦାଣ୍ଡରେ ୫୦ଟି ହାଇମାଷ୍ଟ ଲାଇଟ୍ ସ୍ଥାପନ କରାଯିବ। ପୁରୀ ସମୁଦ୍ରତଟରେ ୬ଟି ବାୟୋ-ଶୌଚାଳୟ ବ୍ଲକ ସହ ୧୮ଟି ଏକକ ଶୌଚାଳୟ ଓ ସମୁଦାୟରେ ୧୬୦୦ଟି ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ହେବ।
ବର୍ଷା ସମୟରେ ଜଳ ନିଷ୍କାସନ ପାଇଁ ୨୩ଟି ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସ୍ଥାପନ କରାଯିବ। ସେଥିପାଇଁ ବଡଦାଣ୍ଡରୁ ଅବୈଧ ଦଖଳ ହଟାଇବା କାମ ମଇ ମାସ ମଧ୍ୟରେ ସରିବାକୁ ଲକ୍ଷ୍ୟ ରହିଛି।
ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଖାସ ଧ୍ୟାନ ଦିଆଯାଇଛି। ସିସିଟିଭି ନିରୀକ୍ଷଣ, ପୁଲିସ୍ ମୁତୟନ, ଟ୍ରାଫିକ୍ ପରିଚାଳନା, ଆପାତକାଳୀନ ସେବା ଓ ନିୟନ୍ତ୍ରଣ କକ୍ଷକୁ ଶକ୍ତିଶାଳୀ କରାଯିବ। ଜରୁରୀ ଚିକିତ୍ସା ପାଇଁ ୮ଟି ଅସ୍ଥାୟୀ ୧୦-ଶଯ୍ୟା ହସ୍ପିଟାଲ୍ ବ୍ୟବସ୍ଥା କରାଯାଉଛି।
ଏହା ସହିତ ରେଳ ବିଭାଗ ପକ୍ଷରୁ ୮ଟି ଅତିରିକ୍ତ ଟିକେଟ୍ କାଉଣ୍ଟର ଖୋଲାଯିବ। ପାର୍କିଂ ପାଇଁ ୨୧ଟି ସ୍ଥାନ ଚିହ୍ନଟ ହୋଇଛି।
ରଥଯାତ୍ରା ସମୟରେ ବଡଦାଣ୍ଡରେ ଅନିୟନ୍ତ୍ରିତ ଭାବେ ମାଗଣା ଖାଦ୍ୟ ବଣ୍ଟନ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବାରୁ, ଏଥର ନିର୍ଦ୍ଧିଷ୍ଟ ସ୍ଥାନ ଚିହ୍ନଟ କରାଯାଇ ସେଠାରେ ଖାଦ୍ୟ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଛି।
ସମଗ୍ର ବ୍ୟବସ୍ଥାକୁ ସୁଚାରୁ ଓ ସୁରକ୍ଷିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମନ୍ୱୟରେ କାମ କରିବାକୁ ଜୋର ଦିଆଯାଇଛି।




