ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ପ୍ରଭାବରେ ବିଶ୍ୱ ମାର୍କେଟରେ ସାର ଯୋଗାଣ ବାଧାପ୍ରାପ୍ତ ହେବା ସହ ଦରରେ ଜୋରଦାର ବୃଦ୍ଧି ଦେଖାଦେଇଛି। ଏହି ପରିପ୍ରେକ୍ଷିତରେ ଚଳିତ ୨୦୨୫-୨୬ ଆର୍ଥିକବର୍ଷରେ ଭାରତର ସାର ସବ୍‌ସିଡି ପ୍ରାୟ ୨୦ ପ୍ରତିଶତ ବଢିପାରେ ବୋଲି ସାର ମନ୍ତ୍ରାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା ସୂଚନା ଦେଇଛନ୍ତି।

ଭାରତ ବିଶ୍ୱର ସର୍ବବୃହତ ସାର ଆମଦାନିକାରୀ ଦେଶ ହେବାରୁ ଆନ୍ତର୍ଜାତୀୟ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ଦେଶୀୟ ବଜାର ଉପରେ ପଡ଼ୁଛି। ସମ୍ପ୍ରତି ଭାରତ ପ୍ରାୟ ୨.୫ ମିଲିଅନ୍‌ ମେଟ୍ରିକ୍‌ ଟନ୍‌ ସାର ଆମଦାନି ପାଇଁ ରେକର୍ଡ ଅର୍ଡର ଦେଇଛି, ଯାହା ପୂର୍ବରୁ ଥିବା ଦର ତୁଳନାରେ ପ୍ରାୟ ଦୁଇଗୁଣା ଅଧିକ ଦରରେ କରାଯାଇଛି। ଏହି ପରିମାଣ ଦେଶର ବାର୍ଷିକ ଆମଦାନିର ପ୍ରାୟ ଏକ ଚତୁର୍ଥାଂଶ।

ଭବିଷ୍ୟତରେ ମଧ୍ୟ ବିଶ୍ୱ ମାର୍କେଟରେ ସାର ଦର ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ଭାରତକୁ ଅଧିକ ମୂଲ୍ୟରେ ସାର କିଣିବାକୁ ପଡ଼ିପାରେ। ଏହାର ପରିଣାମ ସ୍ୱରୂପ ସରକାରଙ୍କ ସବ୍‌ସିଡି ଖର୍ଚ୍ଚ ବଢିବା ନିଶ୍ଚିତ। ଆକଳନ ଅନୁଯାୟୀ, ଏହି ଆର୍ଥିକବର୍ଷରେ ସାର ସବ୍‌ସିଡି ରାଶି ପ୍ରାୟ ୧.୮୭ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିପାରେ।

ଭାରତ ମୁଖ୍ୟତଃ ୟୁରିଆ, ଡିଏପି ଓ ପଟାସ ସହିତ ୟୁରିଆ ଉତ୍ପାଦନ ପାଇଁ ଆବଶ୍ୟକ ଏଲଏନଜି ଆମଦାନି କରେ। ମଧ୍ୟପ୍ରାଚ୍ୟରୁ ଡିଏପି ଓ ୟୁରିଆର ବଡ଼ ଅଂଶ ଆଣାଯାଉଥିବାରୁ ସେଠାରେ ଯୁଦ୍ଧ ପରିସ୍ଥିତି ଦେଶୀୟ ବଜାରକୁ ପ୍ରଭାବିତ କରୁଛି।

ତଥାପି ସରକାର ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ବର୍ତ୍ତମାନ ସାରର କୌଣସି ଅଭାବ ନାହିଁ। ଏପ୍ରିଲ୍‌ ମାସର ଆଙ୍କଡା ଅନୁଯାୟୀ, ୟୁରିଆ ଓ ଡିଏପି ଦୁହିଁ ପ୍ରକାର ସାରର ଯଥେଷ୍ଟ ମଜୁତ ରହିଛି, ଯାହା ଚାଷୀମାନଙ୍କ ପାଇଁ ଆଶ୍ୱାସନଜନକ ଖବର।

ସେହିପରି, ଏଲପିଜି ଯୋଗାଣକୁ ମଧ୍ୟ ବୃଦ୍ଧି କରାଯାଇଛି ଏବଂ ବଜାରରେ କୌଣସି ଅଭାବ ସୃଷ୍ଟି ହୋଇନାହିଁ ବୋଲି ପେଟ୍ରୋଲିୟମ ବିଭାଗ ପକ୍ଷରୁ ଜଣାଯାଇଛି।