ନୂଆଦିଲ୍ଲୀ: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚାୟତ ପ୍ରଗତି ସୂଚକାଙ୍କ (Panchayat Progress Index)ର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ଏହି ରିପୋର୍ଟରେ ସମଗ୍ର ଦେଶର ୩୬୩୫ଟି ପଞ୍ଚାୟତ ଉଲ୍ଲେଖନୀୟ କାର୍ୟଦକ୍ଷତା ଦେଖାଇଛି।

ଏହି ସୂଚକାଙ୍କରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୨.୫୯ ଲକ୍ଷ ପଞ୍ଚାୟତ (୯୭.୩୦ ପ୍ରତିଶତ) ଅଂଶଗ୍ରହଣ କରିଥିଲେ। ସେଥିରୁ ୩୬୩୫ଟି ପଞ୍ଚାୟତ ‘ଏ’ ବର୍ଗ, ୧,୧୮,୮୨୪ଟି ‘ବି’, ୧,୨୩,୭୧୯ଟି ‘ସି’ ଏବଂ ୧୩,୬୮୯ଟି ‘ଡି’ ବର୍ଗରେ ସ୍ଥାନ ପାଇଛି।

ଓଡ଼ିଶା ପାଇଁ ଏହି ରିପୋର୍ଟ ଗର୍ବର ବିଷୟ ଆଣିଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ର ପୋଚିଲିମା ପଞ୍ଚାୟତ ସାମଗ୍ରିକ ଭାବେ ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବେ ‘ଏ’ ମାନ୍ୟତା ହାସଲ କରିଛି। ଏହା ତୃଣମୂଳ ସ୍ତରର ଶାସନକୁ ସୁଦୃଢ଼ କରିବା ଏବଂ ସମାବେଶୀ ଗ୍ରାମୀଣ ବିକାଶରେ ଓଡ଼ିଶାର ସଫଳତାକୁ ପ୍ରକାଶ କରିଛି।

ରାଜ୍ୟରେ ମୋଟ ୫୫୫ଟି ପଞ୍ଚାୟତ ପ୍ରଥମ ବର୍ଗରେ, ୪୫୬୬ଟି ଦ୍ୱିତୀୟ ବର୍ଗରେ, ୧୬୨୭ଟି ତୃତୀୟ ବର୍ଗରେ ଏବଂ ୪୬ଟି ପଞ୍ଚାୟତ ଚତୁର୍ଥ ବର୍ଗରେ ରହିଛନ୍ତି।

ଅନ୍ୟପଟେ, ଗଞ୍ଜାମ ଜିଲ୍ଲାର ସୋହପୁର ପଞ୍ଚାୟତ ଦାରିଦ୍ର୍ୟ ଦୂରୀକରଣ ଓ ଜୀବିକା ବିକାଶ ବର୍ଗରେ ‘ଏ ପ୍ଲସ୍’ ମାନ୍ୟତା ପାଇଥିବାବେଳେ, ପୁରୁଷୋତ୍ତମପୁର ବ୍ଲକ୍‌ର ରାୟପୁର ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ‘ଏ ପ୍ଲସ୍’ ସ୍ଥାନ ହାସଲ କରିଛି।

ଏହାସହ ଜଗତସିଂହପୁର ଜିଲ୍ଲାର ତାରପୁର ପଞ୍ଚାୟତ ଶିଶୁ-ଅନୁକୂଳ ପଞ୍ଚାୟତ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। କେନ୍ଦୁଝର ଜିଲ୍ଲାର ପଡୁଆ ପଞ୍ଚାୟତ ଜଳ ସ୍ୱଚ୍ଛଳ ବର୍ଗରେ ‘ଏ ପ୍ଲସ୍’ ପାଇଥିବାବେଳେ, ସୁନ୍ଦରଗଡ଼ ଜିଲ୍ଲାର ହାତୀବନ୍ଧା ପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ଭାବେ ଶ୍ରେଷ୍ଠତା ଅର୍ଜନ କରିଛି।

ଏହାଛଡ଼ା, ଭଟକୁମରଡ଼ା ପଞ୍ଚାୟତ ଆତ୍ମନିର୍ଭର ଭିତ୍ତିଭୂମି, ମନ୍ଦାର ପଞ୍ଚାୟତ ସାମାଜିକ ସମାନତା, ତୁରୁମୁ ପଞ୍ଚାୟତ ସୁଶାସନ ଏବଂ ଗୁଡ଼ିଆପଦର ପଞ୍ଚାୟତ ମହିଳା ଅନୁକୂଳ ବର୍ଗରେ ସର୍ବଶ୍ରେଷ୍ଠ ମାନ୍ୟତା ପାଇଛନ୍ତି।

ଏହି ରିପୋର୍ଟ ଦେଖାଇଦେଇଛି ଯେ ଗ୍ରାମୀଣ ଶାସନରେ ପଞ୍ଚାୟତମାନଙ୍କ ଭୂମିକା କିପରି ଶକ୍ତିଶାଳୀ ହେଉଛି ଏବଂ ଓଡ଼ିଶା ଏଥିରେ ନିଜ ସ୍ଥାନକୁ ଦୃଢ କରିପାରିଛି।