ରାଉରକେଲା: ଜମି କିଣାଇଦେବା ନାମରେ କୋଟିକୋଟି ଟଙ୍କା ଠକେଇ ମାମଲାରେ ଜଣେ ଶିକ୍ଷୟିତ୍ରୀ, ତାଙ୍କ ସ୍ୱାମୀ ଓ ଜଣେ ସହଯୋଗୀଙ୍କୁ ଆଦାଲତ ୭ ବର୍ଷ ସଶ୍ରମ କାରାଦଣ୍ଡ ଦେଇଛନ୍ତି। ରାଉରକେଲା ଏସିଜେଏମ୍‌ ଅଦାଲତର ବିଚାରପତି ଗୀତାଞ୍ଜଳି ନନ୍ଦ ଏହି ରାୟ ଦେଇଥିବା ଜଣାପଡ଼ିଛି।

ଦୋଷୀମାନେ ହେଲେ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ଏଏସ୍‌ ସିନ୍ଧୁ, ତାଙ୍କ ସ୍ୱାମୀ ମହମ୍ମଦ କମର ଖାନ୍‌ ଓ ସହଯୋଗୀ ପ୍ରଦୀପ୍ତ ପଟ୍ଟନାୟକ। ତିନିଜଣଙ୍କୁ ଭାରତୀୟ ଦଣ୍ଡ ସଂହିତାର ୪୨୦ ଦଫାରେ ୭ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଏବଂ ୫୦୬ ଦଫାରେ ୨ ବର୍ଷ କାରାଦଣ୍ଡ ସହ ଜରିମାନା ଦିଆଯାଇଛି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ଜେଲ୍‌ ଶିକ୍ଷା ଭୋଗିବାକୁ ପଡ଼ିବ।

ଘଟଣାକ୍ରମ ଅନୁଯାୟୀ, ଅଭିଯୁକ୍ତ ସିନ୍ଧୁ ପ୍ରଥମେ ଜଣେ ଯୁବ ସମାଜସେବୀଙ୍କ ସହ ପରିଚୟ କରି ତାଙ୍କୁ ଧର୍ମଭାଇ କରିଥିଲେ। ପରେ କେରଳରେ ଜମି କିଣାଇଦେବା ନାମରେ ଯୋଜନାବଦ୍ଧ ଭାବେ ସ୍ୱାମୀ ଓ ସହଯୋଗୀଙ୍କ ସହ ମିଶି ୨ କୋଟି ୮୩ ଲକ୍ଷ ଟଙ୍କା ଠକିନେଇଥିଲେ। ଟଙ୍କା ପାଇବା ପରେ ସେମାନେ ଲୁଚିଥିବା ସହ ବିଭିନ୍ନ ଆଳ ଦେଇ ପୀଡ଼ିତଙ୍କୁ ଠକୁଥିଲେ।

ପୀଡ଼ିତ ବ୍ୟକ୍ତି ଠକେଇ ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ତଦନ୍ତ କରି ତିନିଜଣଙ୍କୁ ଗିରଫ କରିଥିଲା। ତଦନ୍ତ ସମୟରେ ଟଙ୍କାକୁ ବିଭିନ୍ନ ଆକାଉଣ୍ଟକୁ ପଠାଇ ଲୁଚାଇବା ଓ ପୁଣି ମିଥ୍ୟା ମାମଲା ଦେଇ ଦମନ କରିବାର ଚେଷ୍ଟା କରିଥିବା ବି ଖୋଲାସା ହୋଇଥିଲା।

ସମସ୍ତ ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ଅଦାଲତ ଏହି କଠୋର ରାୟ ଦେଇଛନ୍ତି।