କଟକ: ବହୁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଓଡିଶାରେ ଦଶମ ଶ୍ରେଣୀ (ମାଟ୍ରିକ୍‌) ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଆଜି ତାଙ୍କର ଫଳାଫଳ ଜାଣିପାରିବେ। Board of Secondary Education, Odisha ପକ୍ଷରୁ ପରିଚାଳିତ ୨୦୨୬ ମାଟ୍ରିକ୍‌ ପରୀକ୍ଷାର ଫଳାଫଳ ଆଜି ଅପରାହ୍ଣ ୪ଟାରେ ପ୍ରକାଶ ପାଇବ।

ବୋର୍ଡର ସୂଚନା ଅନୁସାରେ, ସଂଧ୍ୟା ୬ଟା ପରେ ଫଳାଫଳ ଅନଲାଇନ୍‌ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଅଧିକୃତ ୱେବସାଇଟ୍‌ରେ ନିଜର ରୋଲ୍‌ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଦେଇ ରେଜଲ୍ଟ ଦେଖିପାରିବେ।

ଯେଉଁମାନେ ଇଣ୍ଟରନେଟ୍‌ ସୁବିଧାରୁ ବଞ୍ଚିତ, ସେମାନେ ମଧ୍ୟ ସହଜରେ ଏସଏମଏସ୍‌ ମାଧ୍ୟମରେ ଫଳାଫଳ ଜାଣିପାରିବେ। ଏଥିପାଇଁ ମୋବାଇଲ୍‌ରେ OR10 ଟାଇପ୍‌ କରି ୫୬୭୬୭୫୦କୁ ପଠାଇବାକୁ ପଡିବ। ସେହିପରି ସନ୍ଧ୍ୟା ୭ଟା ପରେ ବିଦ୍ୟାଳୟମାନେ ବୋର୍ଡ ୱେବସାଇଟ୍‌ରୁ ଟେବୁଲେସନ୍‌ ରେଜିଷ୍ଟର (TR) ଡାଉନଲୋଡ୍‌ କରିପାରିବେ।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଫେବୃଆରି ୧୯ ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୫.୬୧ ଲକ୍ଷ ଛାତ୍ରଛାତ୍ରୀ ୩୦୮୨ଟି କେନ୍ଦ୍ରରେ ପରୀକ୍ଷା ଦେଇଥିବାବେଳେ ୫୧ଟି କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ମୂଲ୍ୟାଙ୍କନ କାମ କରିଥିଲେ।

ଏହି ଫଳାଫଳକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ବେଶ୍‌ ଉତ୍ସୁକତା ଦେଖାଯାଉଛି।