ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିବେକ ବିହାର ଅଞ୍ଚଳରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଏକ ଆବାସିକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୯ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି।ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୪୭ ମିନିଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଏସି (AC) ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି।ସୂଚନାନୁଯାୟୀ, ପ୍ରଥମେ ଫ୍ଲାଟର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା। ଏସି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିଆଁ ଖୁବ୍ ଶୀଘ୍ର ତୃତୀୟ ମହଲାକୁ ବ୍ୟାପି ଯାଇଥିଲା। ରାତି ପ୍ରାୟ ୪ଟା ସମୟରେ ଲୋକମାନେ ଶୋଇଥିବା ଅବସ୍ଥାରେ ହଠାତ୍ ନିଆଁ ଲାଗିଯିବାରୁ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା। ପ୍ରାଣ ବିକଳରେ ଲୋକମାନେ ଫ୍ଲାଟ ଭିତରୁ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଅଧିକାଂଶ ଧୂଆଁ ଓ ନିଆଁ ମଧ୍ୟରେ ଫସି ରହିଥିଲେ।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ୧୪ଟି ଅଗ୍ନିଶମ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।ଅଗ୍ନିଶମ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ପ୍ରାୟ ୧୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ।ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭିତରେ କେହି ଫସି ରହିଛନ୍ତି କି ନାହିଁ, ତାହା ଯାଞ୍ଚ କରାଯାଉଛି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।