ନୂଆଦିଲ୍ଲୀ: ସାମୁଦ୍ରିକ ସହଯୋଗର ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ଆରବ ସାଗରରେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ସମୁଦ୍ରରେ ଫସି ରହିଥିବା ଏକ ଭାରତୀୟ ମାଲବାହୀ ଜାହାଜ ‘ଏମଭି ଗୌତମ’ (MV Gautam) କୁ ପାକିସ୍ତାନ ନୌସେନା ଉଦ୍ଧାର କରିଛି। ଗୁଜରାଟର ଦ୍ୱାରକା ନିକଟ ଆରବ ସାଗରରେ ବିପଦରେ ପଡ଼ିଥିବା ଏକ ଭାରତୀୟ ପଣ୍ୟବାହୀ ଜାହାଜକୁ ପାକିସ୍ତାନ ନୌସେନା ସହାୟତାର ହାତ ବଢ଼ାଇଛି। ଏହି ବିରଳ ସାମୁଦ୍ରିକ ସହଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଓମାନରୁ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜଟି ମେ’ ୩ ତାରିଖରେ ଏକ ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଜାହାଜର ଜେନେରେଟର ଅଚଳ ହୋଇଯିବାରୁ ସେଥିରେ ସମ୍ପୂର୍ଣ୍ଣ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ଫଳରେ ଜାହାଜଟି ଅନ୍ଧାର ମଧ୍ୟରେ ସମୁଦ୍ର ସ୍ରୋତରେ ଭାସିବାକୁ ଲାଗିଥିଲା।
ମୁମ୍ବାଇର ମାରିଟାଇମ୍ ରେସକ୍ୟୁ କୋଅର୍ଡିନେସନ୍ ସେଣ୍ଟରରୁ ସୂଚନା ପାଇବା ପରେ ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (PMSA) ର ଜାହାଜ ‘ପିଏମଏସଏସ କାଶ୍ମୀର’ (PMSS Kashmir) ସହାୟତା ପାଇଁ ପହଞ୍ଚିଥିଲା। ଜାହାଜରେ ଥିବା ୬ ଜଣ ଭାରତୀୟ ଏବଂ ଜଣେ ଇଣ୍ଡୋନେସିଆ ନାଗରିକଙ୍କୁ ପାକିସ୍ତାନୀ ଟିମ୍ ଖାଦ୍ୟ ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ। ପାକିସ୍ତାନୀ ବୈଷୟିକ ଦଳ ଜାହାଜର ଯାଞ୍ଚ କରିବା ପରେ ଜେନେରେଟରଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିବା ଜଣାଇଥିଲେ।
ଦ୍ୱାରକା ଲାଇଟହାଉସଠାରୁ ପ୍ରାୟ ୨୬୦ ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଛି। ଭାରତୀୟ କୋଷ୍ଟଗାର୍ଡ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜାହାଜଟିକୁ ଟାଣି ଆଣିବା ପାଇଁ ଏକ ଟଗ୍ (Tug) ବ୍ୟବସ୍ଥା କରିବାକୁ ଡିଜି ସିପିଂଙ୍କୁ ଅନୁରୋଧ କରିଛନ୍ତି। ବିଦ୍ୟୁତ ନଥିବାରୁ ଏହି ଜାହାଜଟି ଅନ୍ୟ ଜାହାଜ ଚଳାଚଳ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସତର୍କ କରାଯାଇଛି।
ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲେ ହେଁ, ସମୁଦ୍ର ମଧ୍ୟରେ ଜୀବନ ରକ୍ଷା ପାଇଁ ଏହି ସହଯୋଗ ଏକ ସକାରାତ୍ମକ ବାର୍ତ୍ତା ଦେଇଛି।




