ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସରାପାଲି ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ (KGBV) ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ଛାତ୍ରୀମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆଜି ଛାତ୍ରୀ ଓ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ (DEO) ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ପାଠପଢ଼ା ସମୟରେ ବିଭିନ୍ନ କାମରେ ନିୟୋଜିତ କରାଯାଉଛି। ଏହାସହ ସେମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ପରିଷାଯାଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଯଦି କେହି ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛି ବା ଅଭିଯୋଗ କରୁଛି, ତେବେ ତାଙ୍କୁ କ୍ରୁର ଭାବେ ମାଡ଼ ମରାଯାଉଥିବା କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଏହି ଘଟଣା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଯୋଗୁଁ ବିଦ୍ୟାଳୟ କର୍ମଚାରୀଙ୍କ ମନମାନୀ ବଢ଼ୁଥିବା ଦର୍ଶାଇ ଆଜି ପୁଣି ଥରେ ଡିଇଓଙ୍କୁ ଭେଟି ନ୍ୟାୟ ପ୍ରାର୍ଥନା କରିଛନ୍ତି ଅସହାୟ ଛାତ୍ରୀ ଓ ସେମାନଙ୍କ ପରିବାର। ଅଭିଭାବକମାନେ ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।




