ଭୁବନେଶ୍ୱର: ଆଗାମୀ ମୌସୁମୀ-୨୦୨୬କୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଆକସ୍ମିକ ବନ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମସ୍ତ ପୌରାଞ୍ଚଳ ସଂସ୍ଥାଙ୍କୁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛି, ଯାହା ଅନୁସାରେ ବନ୍ୟା ସମୟରେ ଲୋକଙ୍କ ସୁରକ୍ଷା ଓ ସହରୀ ବ୍ୟବସ୍ଥାକୁ ସକ୍ରିୟ ରଖିବାକୁ ଗୁରୁତ୍ୱ ଦିଆଯାଇଛି।

ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜାରି ଏହି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ପ୍ରକାରର ଅବହେଳାକୁ ସରକାର ଗୁରୁତର ଭାବେ ନେବେ। ବିପଦ ପରିଚାଳନାରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯିବ।

ପ୍ରସ୍ତୁତିର ଅଂଶ ଭାବେ ସମସ୍ତ ଡ୍ରେନେଜ୍ ବ୍ୟବସ୍ଥା ଓ ମ୍ୟାନହୋଲର ୧୦୦% ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। କ୍ଷତିଗ୍ରସ୍ତ ମ୍ୟାନହୋଲଗୁଡ଼ିକୁ ତୁରନ୍ତ ମରାମତି କିମ୍ବା ସୁରକ୍ଷିତ ଭାବେ ଢାଙ୍କିବାକୁ ନିର୍ଦ୍ଦେଶ ମିଳିଛି। ଯେଉଁଠାରେ କାମ ଅପୂର୍ଣ୍ଣ ରହିଛି, ସେଠାରେ ସତର୍କ ସୂଚନା ପଟିକା ଓ ସୁରକ୍ଷା ବ୍ୟବସ୍ଥା ଲଗାଇବା ଆବଶ୍ୟକ କରାଯାଇଛି।

ଏଥିସହ ନାଳଗୁଡ଼ିକର ନିୟମିତ ପଙ୍କୋଦ୍ଧାର, ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଥିବା ଅବୈଧ ଦଖଳ ହଟାଇବା ଓ ସହରର ତଳିଆ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଠାରେ ବିଶେଷ ପଦକ୍ଷେପ ନେବାକୁ କୁହାଯାଇଛି। ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ପମ୍ପ ଓ ଡିଜି ସେଟ୍ ବ୍ୟବସ୍ଥା ରଖାଯିବ।

ଜରୁରୀ ସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସହରକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରି ଦାୟିତ୍ୱ ଅଧିକାରୀଙ୍କୁ ଦିଆଯିବ। ସେହିପରି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଓ କଲେଜଗୁଡ଼ିକୁ ଅସ୍ଥାୟୀ ସହାୟତା କେନ୍ଦ୍ର ଭାବେ ପ୍ରସ୍ତୁତ ରଖାଯିବ।

ଏହି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା ଓ ନିରବିଚ୍ଛିନ୍ନ ବିଦ୍ୟୁତ ସୁବିଧା ଯୋଗାଇ ଦିଆଯିବ। ମହିଳା, ଶିଶୁ ଓ ବୃଦ୍ଧଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ସହ ମହିଳା ହୋମଗାର୍ଡ ନିଯୁକ୍ତ କରାଯିବ।

ସ୍ୱାସ୍ଥ୍ୟ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇ ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଫଗିଂ ଓ ଲାର୍ଭିସାଇଡ୍ ସିଞ୍ଚନ ଜୋରଦାର କରାଯିବ। ଡ୍ରେନେଜ୍‌ରେ ଆବର୍ଜନା ପକାଇବା ଓ ପାଣି ଜମି ରହିବା ଉପରେ କଡ଼ା ନଜର ରଖାଯିବ।

ସମସ୍ତ ପୌରାଞ୍ଚଳରେ ୨୪/୭ କାର୍ଯ୍ୟକ୍ଷମ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବ, ଯେଉଁଠାରେ ପାନୀୟ ଜଳ, ଡ୍ରେନେଜ୍ ଓ ରାସ୍ତା ସମସ୍ୟା ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ କରାଯିବ। ମୌସୁମୀ ସମୟରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ୭୨ ଘଣ୍ଟା ମଧ୍ୟରେ ଯାତାୟାତ ଯୋଗ୍ୟ କରିବାକୁ ନିର୍ଦ୍ଦେଶ ରହିଛି।

ସରକାର ସହରର ସ୍ୱଚ୍ଛତା ଓ ଜଳ ନିଷ୍କାସନ ପ୍ରଣାଳୀକୁ ସୁଚଳ ରଖିବା ପାଇଁ ସ୍ଥାନୀୟ ୱାର୍ଡ କମିଟି ଓ ନାଗରିକମାନଙ୍କ ସହଯୋଗ ଆହ୍ୱାନ କରିଛନ୍ତି।