ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଆନ୍ତର୍ଜାତୀୟ ବିମାନ ବନ୍ଦର (CSMIA) ଆଜି ଅର୍ଥାତ୍ ମଇ ୭ ତାରିଖରେ କିଛି ଘଣ୍ଟା ପାଇଁ କାର୍ଯ୍ୟକ୍ଷମ ହେବ ନାହିଁ। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ରନୱେର ବାର୍ଷିକ ପ୍ରି-ମନସୁନ୍ ମେଣ୍ଟେନାନ୍ସ (ମୌସୁମୀ ପୂର୍ବ ରକ୍ଷଣାବେକ୍ଷଣ) କାମ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଗୁରୁବାର ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ (୬ ଘଣ୍ଟା) ରନୱେ ୯/୨୯ ଏବଂ ରନୱେ ୧୪/୩୨ ବନ୍ଦ ରହିବ। ଏହି ସମୟ ମଧ୍ୟରେ କୌଣସି ବିମାନ ଉଡ଼ାଣ କିମ୍ବା ଅବତରଣ କରିପାରିବ ନାହିଁ।
ବର୍ଷା ଦିନେ ବିମାନ ଚଳାଚଳକୁ ସୁରକ୍ଷିତ ରଖିବା ପାଇଁ ଏହି ରକ୍ଷଣାବେକ୍ଷଣ କାମ ଅତ୍ୟନ୍ତ ଆବଶ୍ୟକ। ଆଧୁନିକ ମେସିନ ଏବଂ ସ୍ପେଶାଲ ଟିମ୍ ଦ୍ୱାରା ଏହି କାମ କରାଯାଉଛି। ଏୟାରପୋର୍ଟ ପ୍ରଶାସନ ପକ୍ଷରୁ ପ୍ରାୟ ୬ ମାସ ପୂର୍ବରୁ ସମସ୍ତ ଏୟାରଲାଇନ୍ସକୁ ଏହି ବିଷୟରେ ଜଣାଇ ଦିଆଯାଇଥିଲା, ଯାହାଫଳରେ ସେମାନେ ନିଜର ସିଡ୍ୟୁଲରେ ପରିବର୍ତ୍ତନ କରିପାରିବେ।
ମୁମ୍ବାଇ ଏୟାରପୋର୍ଟ ହେଉଛି ଭାରତର ଦ୍ୱିତୀୟ ସବୁଠାରୁ ବ୍ୟସ୍ତବହୁଳ ବିମାନ ବନ୍ଦର। ୨୦୨୪-୨୫ ଆର୍ଥିକ ବର୍ଷରେ ଏଠାରେ ୫ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି। ଏଠାରୁ ପ୍ରତିଦିନ ପ୍ରାୟ ୧୦୦୦ରୁ ଅଧିକ ବିମାନ ଚଳାଚଳ କରିଥାଏ।ଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସାମୟିକ ବନ୍ଦ ନିଷ୍ପତ୍ତି ନିଆଯାଇଛି। ଧାର୍ଯ୍ୟ ସମୟ ପରେ ବିମାନ ଚଳାଚଳ ପୁଣି ସ୍ୱାଭାବିକ ହେବ।




