କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିଦାୟୀ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ମୋଟରସାଇକେଲରେ ଏକ ନକଲି ନମ୍ବର ପ୍ଲେଟ୍ ବ୍ୟବହାର କରାଯାଇଥିବା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ସିଦ୍ଧନାଥ ଗୁପ୍ତା ସ୍ପଷ୍ଟ କରିଛନ୍ତି।

ଗୁରୁବାର ଭୋର ପ୍ରାୟ ୧.୩୦ ସମୟରେ ଡିଜିପି ସିଦ୍ଧନାଥ ଗୁପ୍ତା ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମଧ୍ୟମଗ୍ରାମ ସ୍ଥିତ ବିଭା ସିଟି ହସ୍ପିଟାଲରେ ପହଞ୍ଚିଥିଲେ। ବୁଧବାର ରାତିରେ ଗୁଳିବିଦ୍ଧ ଅବସ୍ଥାରେ ରଥଙ୍କୁ ଏଠାକୁ ଅଣାଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ଡିଜିପି କହିଛନ୍ତି ଯେ, “ଆତତାୟୀମାନେ ବ୍ୟବହାର କରିଥିବା ବାଇକ୍‌ରେ ନକଲି ନମ୍ବର ପ୍ଲେଟ୍ ଥିଲା। ଘଟଣାସ୍ଥଳରୁ ବ୍ୟବହୃତ କାର୍ଟ୍ରିଜ୍‌ର ଖୋକା ଏବଂ କିଛି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଘଟଣାର ବିସ୍ତୃତ ତଦନ୍ତ ଜାରି ରହିଛି।”

ପୋଲିସ ସୂତ୍ର ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ପ୍ରଥମେ ଲାଗୁଥିଲା ଯେ ଏକ ଚାରିଚକିଆ ଯାନ ରଥଙ୍କୁ ପିଛା କରୁଛି। କିନ୍ତୁ ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିଛି ଯେ, ଏକ ମୋଟରସାଇକେଲ୍ ଅତି ଚତୁରତାର ସହ ରଥଙ୍କ କାର୍‌କୁ ପିଛା କରୁଥିଲା। ରଥଙ୍କ ଗାଡ଼ି ମଧ୍ୟମଗ୍ରାମର ଦୋହରିଆ କ୍ରସିଂରେ ପହଞ୍ଚିବା ମାତ୍ରେ ଏକ ଚାରିଚକିଆ ଯାନ ତାଙ୍କ ରାସ୍ତା ଅବରୋଧ କରିଥିଲା। ଏହି ସମୟରେ ବାଇକ୍ ଆରୋହୀ ଜଣକ ଗୁଳି ଚଳାଇଥିଲେ। ଯେଉଁଭଳି ଭାବେ ଏହି ଅପରାଧ ଘଟାଯାଇଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଏବଂ ଏଥିରେ ପେସାଦାର ହତ୍ୟାକାରୀ ସାମିଲ ଅଛନ୍ତି।

ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ସମୀକ ଭଟ୍ଟାଚାର୍ଯ୍ୟ ଏଥିପାଇଁ ଶାସକ ତୃଣମୂଳ କଂଗ୍ରେସ (TMC) କୁ ଦାୟୀ କରିଛନ୍ତି।”ନିର୍ବାଚନରେ ପରାଜୟ ଯୋଗୁଁ ତୃଣମୂଳ କଂଗ୍ରେସ ନେତୃତ୍ୱ ହତାଶ ହୋଇ ଏହି ଷଡ଼ଯନ୍ତ୍ର ରଚିଛନ୍ତି। ବିରୋଧୀ ଦଳ ନେତାଙ୍କ ସହକାରୀଙ୍କୁ ହତ୍ୟା କରି ସେମାନେ ଏକ ଭୟର ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ,” ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି।