ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ପୁଣି ତେଜିଛି ରାଜନୈତିକ ଓ ସାମାଜିକ ଚର୍ଚ୍ଚା। ମହାନଦୀ ଟ୍ରିବୁନାଲ ସାମ୍ନାରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଦାଖଲ ହୋଇଥିବା ଜଳରାଶି ସମ୍ପର୍କିତ ତଥ୍ୟକୁ ନେଇ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ତଥ୍ୟ ବିଭ୍ରାନ୍ତିକର ଓ ଓଡ଼ିଶାର ସ୍ୱାର୍ଥ ସହିତ ମହାନଦୀର ନ୍ୟାୟକୁ ସାଲିସ କରାଯାଇଛି।
ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ ଦାସ କହିଛନ୍ତି ଯେ, ଗତ ମେ’ ୨ ତାରିଖରେ ଟ୍ରିବୁନାଲରେ ହୋଇଥିବା ଶୁଣାଣି ସମୟରେ ଯୁଗ୍ମ ବୈଷୟିକ କମିଟି ପକ୍ଷରୁ ମହାନଦୀର ବିଭିନ୍ନ ସ୍ଥାନରେ ଉପଲବ୍ଧ ଜଳର ପରିମାଣ ସମ୍ପର୍କିତ ତଥ୍ୟ ଦାଖଲ କରାଯାଇଥିଲା। ସେହି ତଥ୍ୟକୁ ଓଡ଼ିଶା ଓ ଛତିଶଗଡ଼ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଥିବା କୁହାଯାଇଛି।
ଉପସ୍ଥାପିତ ତଥ୍ୟ ଅନୁଯାୟୀ, ସମଗ୍ର ମହାନଦୀ ବେସିନରେ ୬୨.୩୬ ମିଲିୟନ ଏକର ଫୁଟ ଜଳ ଉପଲବ୍ଧ ଥିବାବେଳେ ଓଡ଼ିଶା-ଛତିଶଗଡ଼ ସୀମାରେ ୨୮.୪୮, ହୀରାକୁଦ ନିକଟରେ ୩୨.୮୩ ଏବଂ ନରାଜ ନିକଟରେ ୫୬.୨୯ ମିଲିୟନ ଏକର ଫୁଟ ପାଣି ରହିଥିବା ଦର୍ଶାଯାଇଛି। ସୁଦର୍ଶନ ଦାସଙ୍କ ମତରେ, ଏହି ତଥ୍ୟ ଦେଖାଉଛି ଯେ ଓଡ଼ିଶାରେ ପ୍ରଚୁର ଜଳ ରହିଛି ଏବଂ ଛତିଶଗଡ଼ ସହିତ ଜଳ ବିବାଦର କୌଣସି ଯଥାର୍ଥତା ନାହିଁ ବୋଲି ପ୍ରତିପାଦନ କରାଯାଉଛି।
ସେ କହିଛନ୍ତି ଯେ, ଏହି ତଥ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗତବର୍ଷ ବିଧାନସଭାରେ ଦିଆଯାଇଥିବା ବକ୍ତବ୍ୟ ସହିତ ମେଳ ଖାଉନାହିଁ। ଗତ ଅଗଷ୍ଟ ୨୯ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଛତିଶଗଡ଼ରେ ମହାନଦୀ ଉପରେ ୪୧ଟି ବୃହତ ଓ ମଧ୍ୟମ ପ୍ରକଳ୍ପ, ୧୮୭୪ଟି କ୍ଷୁଦ୍ର ପ୍ରକଳ୍ପ ଓ ଅନ୍ୟାନ୍ୟ ନଦୀଜଳ ପ୍ରକଳ୍ପ ନିର୍ମାଣ ହେବା ଫଳରେ ଅଣ-ମୌସୁମୀ ସମୟରେ ଜଳ ପ୍ରବାହ କମିଯାଉଛି ଏବଂ ହୀରାକୁଦ ପ୍ରକଳ୍ପ ତାହାର ଲକ୍ଷ୍ୟ ପୂରଣ କରିପାରୁନାହିଁ।
ସୁଦର୍ଶନ ଦାସଙ୍କ ଅଭିଯୋଗ ଅନୁଯାୟୀ, ଟ୍ରିବୁନାଲରେ ଦାଖଲ ହୋଇଥିବା ନୂତନ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ବକ୍ତବ୍ୟକୁ ବିରୋଧ କରୁଛି। ସେ କହିଛନ୍ତି, ୨୦୧୮-୧୯ ମସିହାରେ ଓଡ଼ିଶା ସରକାର ଟ୍ରିବୁନାଲ ଓ ସୁପ୍ରିମକୋର୍ଟରେ ଯେଉଁ ତଥ୍ୟ ଦାଖଲ କରିଥିଲେ, ସେଠାରେ ଛତିଶଗଡ଼ ମହାନଦୀର ଅଣ-ମୌସୁମୀ ଜଳକୁ ଅଟକାଇ ଦେଉଥିବା ଏବଂ ଏହା ଫଳରେ ଓଡ଼ିଶା ଜଳ ସଙ୍କଟରେ ପଡ଼ୁଥିବା କଥା ଉଲ୍ଲେଖ ଥିଲା।
ସେତେବେଳେ ଛତିଶଗଡ଼ ୨୭.୪୮ ମିଲିୟନ ଏକର ଫୁଟ ଜଳ ବ୍ୟବହାର ଦାବି କରିଥିଲା। କିନ୍ତୁ ଓଡ଼ିଶା ତାହାକୁ ଖଣ୍ଡନ କରି କହିଥିଲା ଯେ, ଛତିଶଗଡ଼ରେ ପ୍ରକୃତରେ ୨୪.୨୭ ମିଲିୟନ ଏକର ଫୁଟ ଜଳ ଉପଲବ୍ଧ ଅଛି ଏବଂ ସେଥିରୁ ୧୦.୮୩ ମିଲିୟନ ଏକର ଫୁଟ ଜଳ ବ୍ୟବହାର ପାଇଁ ଛତିଶଗଡ଼ ହକଦାର। ଏହା ସହ ଅଣ-ମୌସୁମୀ ସମୟରେ ହୀରାକୁଦକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଓଡ଼ିଶା ୧.୭୪ ମିଲିୟନ ଏକର ଫୁଟ ଜଳ ଛାଡ଼ିବାକୁ ଦାବି କରିଥିଲା।
ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଏହି ସମଗ୍ର ପ୍ରକ୍ରିୟାର ସ୍ୱଚ୍ଛତା ଓ ରାଜ୍ୟ ସ୍ୱାର୍ଥ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରାଯାଇଛି।




