କଟକ: ଓଡ଼ିଶା ପୁଲିସ ପକ୍ଷରୁ ଚାଲିଥିବା ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନରେ ବିଭିନ୍ନ ଜିଲ୍ଲାରେ ଗୁଇନ୍ଦା ଭିତ୍ତିକ ସ୍ୱତନ୍ତ୍ର ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି। ବିଶେଷକରି ଗଜପତି ଜିଲ୍ଲାରୁ ୨୧ ମେଟ୍ରିକ ଟନ୍ ଗଞ୍ଜେଇ ଜବତ ହୋଇଥିବାବେଳେ ବରଗଡ଼ ଓ ସୁବର୍ଣ୍ଣପୁରରେ ମଧ୍ୟ ବଡ଼ ଧରଣର ସଫଳତା ମିଳିଛି।
ପୁଲିସ ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର ଆର୍ ଉଦୟଗିରି ଓ ଅଡବା ଥାନା ପୋଲିସ ଗତ କିଛି ଦିନ ମଧ୍ୟରେ କିରାମା, ସମ୍ବଲପୁର, କେଶରୀଗୁଡା ଓ ରାଇପଙ୍କା ଗ୍ରାମପଞ୍ଚାୟତ ଅଞ୍ଚଳରେ ୨୧ଟି ସ୍ୱତନ୍ତ୍ର ଚଢ଼ାଉ କରିଥିଲା। ଏଥିରେ ପ୍ରାୟ ୨୧ ମେଟ୍ରିକ ଟନ୍ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୦ରୁ ୧୨ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ପୁଲିସ ଅପରାଧରେ ବ୍ୟବହୃତ ୩ଟି ଯାନବାହନ ମଧ୍ୟ ଜବତ କରିଛି।
ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅଞ୍ଚଳରେ ଚାଲିଥିବା ନିଶାଦ୍ରବ୍ୟ ଓ ଅବୈଧ ମଦ ବିରୋଧୀ ଅଭିଯାନରେ ମଧ୍ୟ ପୁଲିସ ବଡ଼ ସଫଳତା ପାଇଛି। ଗୁଜା ଗ୍ରାମରେ ବେଆଇନ ଗଞ୍ଜେଇ ଓ ମହୁଲି ମଦ କାରବାର ନେଇ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ଅଭିଯାନ ସମୟରେ ୧ କ୍ୱିଣ୍ଟାଲ ୫୮ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ୮୫ ହଜାର ଟଙ୍କା ବୋଲି ଜଣାପଡ଼ିଛି। ଏହାସହ ୨୦୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଥିବାବେଳେ ପ୍ରାୟ ୫୦୦୦ ଲିଟର ମହୁଲି ପୋଚ ନଷ୍ଟ କରାଯାଇଛି।
ସେହିପରି ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନା ପୋଲିସ ମଧ୍ୟ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ବଡ଼ ସଫଳତା ହାସଲ କରିଛି। ଗତ ୫ ତାରିଖ ରାତିରେ ପାଟ୍ରୋଲିଂ ସମୟରେ ପୁଲିସ ଝାରବନ୍ଧ ଅଞ୍ଚଳରେ ଏକ ଟ୍ରକ ତଲାସି କରି ୧୯୧୪ କେଜି ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନରେ ତଦନ୍ତ ଜାରି ରହିଛି। ଘଟଣାରେ ବ୍ୟବହୃତ ୩ଟି ଯାନବାହନ ମଧ୍ୟ ପୁଲିସ ଜବତ କରିଛି।




