କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) ଏକ ବଡ଼ ସଫଳତା ପାଇଛି। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୨୦୭ଟି ସିଟ୍ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମାତ୍ର ୮୦ଟି ଆସନରେ ସୀମିତ ରହିଛି। ଏଥିସହିତ ୨୦୧୧ରୁ ଚାଲିଆସୁଥିବା ଟିଏମସିର ଅପ୍ରତିହତ ଶାସନର ଅନ୍ତ ଘଟିଛି।

ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର କଡ଼ା ଆଭିମୁଖ୍ୟ ପ୍ରଦଶନ କରିଛନ୍ତି। କାଳିଘାଟସ୍ଥିତ ନିଜ ବାସଭବନରେ ନବନିର୍ବାଚିତ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ସେ ଏହି ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ମମତା ଅଭିଯୋଗ କରିଛନ୍ତି ଯେ, ବିଜେପି ନିର୍ବାଚନରେ “ଲୁଟ୍” କରିଛି ଏବଂ ଏହା ଏକ “ଇଞ୍ଜିନିୟର୍ଡ ମାଣ୍ଡେଟ୍” ବା ଯୋଜନାବଦ୍ଧ ଜନମତ। ଭୋଟ୍ ଗଣତିରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ଟିଏମସି ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିବ ବୋଲି ସେ ସୂଚନା ଦେଇଛନ୍ତି।ଏହି ହାରକୁ ସେ ସହଜରେ ଗ୍ରହଣ କରିବେ ନାହିଁ ଏବଂ ଏହା ବିରୋଧରେ ରାଜନୈତିକ ଲଢ଼େଇ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି।

ବୈଠକରେ ମମତା ବାନାର୍ଜୀ ଅତ୍ୟନ୍ତ ଆକ୍ରମଣାତ୍ମକ ମନୋଭାବ ରଖିଥିଲେ। ସେ କହିଛନ୍ତି, “ଯଦି ସେମାନେ ଚାହୁଁଛନ୍ତି ତେବେ ରାଷ୍ଟ୍ରପତି ଶାସନ ଲାଗୁ କରନ୍ତୁ କିମ୍ବା ମୋତେ ବରଖାସ୍ତ କରନ୍ତୁ। କିନ୍ତୁ ଏହି ଦିନଟି ଏକ କଳା ଦିବସ ଭାବେ ରେକର୍ଡ ହୋଇ ରହିବ।

ଅନ୍ୟପଟେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଟିଏମସି ଜନମତକୁ ସମ୍ମାନ ଦେବା ଶିଖୁ ଏବଂ ନିଜର ପରାଜୟକୁ ସ୍ୱୀକାର କରୁ। ନିର୍ବାଚନ କମିଶନ ମଧ୍ୟ ମମତାଙ୍କ ଅଭିଯୋଗକୁ ଅମୂଳକ ବୋଲି କହିଛନ୍ତି ଏବଂ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛତାର ସହ ହୋଇଥିବା ସ୍ପଷ୍ଟ କରିଛନ୍ତି।

ଟିଏମସି ବର୍ତ୍ତମାନ ଆଇନଗତ ଲଢ଼େଇ ସହ ନିଜର ଦଳୀୟ ସଂଗଠନକୁ ପୁନର୍ଗଠିତ କରିବା ପାଇଁ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ କାମ ଆରମ୍ଭ କରିଛି। ୨୦୧୧ ପରେ ଏହା ଟିଏମସି ପାଇଁ ସବୁଠାରୁ ବଡ଼ ରାଜନୈତିକ ବିପର୍ଯ୍ୟୟ।