ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ ରାଜ୍ୟ ପାଇଁ ପୁଞ୍ଜିନିବେଶର ବାଟ ଫିଟାଇଛି। ଏହି ଗସ୍ତ କାଳରେ ଓଡ଼ିଶାକୁ ୪୮,୩୩୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୬୭,୮୩୮ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଭଦୋଦରାରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ (Investors Meet) ରୋଡ୍ ସୋ’ ମାଧ୍ୟମରେ ଗୁଜରାଟର ଅଗ୍ରଣୀ ଶିଳ୍ପପତିମାନେ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଗୁଜରାଟ ଗସ୍ତ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଭାରତର ଶିଳ୍ପ ଅଭିବୃଦ୍ଧି ଭଳି ଏବେ ପୂର୍ବ ଭାରତ ତଥା ଓଡ଼ିଶାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।
କେଉଁ କ୍ଷେତ୍ରରେ ଆସିବ ନିବେଶ?ଗୁଜରାଟର ବିଭିନ୍ନ ଶିଳ୍ପ ସଂସ୍ଥା ଓଡ଼ିଶାରେ ନିମ୍ନଲିଖିତ ପ୍ରମୁଖ କ୍ଷେତ୍ରରେ ପୁଞ୍ଜି ଲଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି:
କେମିକାଲ୍ସ ଓ ଫାର୍ମାସିଟ୍ୟୁକାଲ୍ସ
ଗ୍ରୀନ୍ ଏନର୍ଜୀ ଇକ୍ୟୁପମେଣ୍ଟ
ମେଟାଲ୍ ଡାଉନଷ୍ଟ୍ରିମ୍
ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ର
ରେୟାର୍ ଆର୍ଥ ଭାଲ୍ୟୁ ଆଡିସନ୍
ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଓଡ଼ିଶା ଏବେ ଭାରତର ଏକ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଭାବେ ଉଭା ହୋଇଛି। ବିଶେଷ କରି ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ମାଧ୍ୟମରେ ଇଣ୍ଡୋ-ପାସିଫିକ ମାର୍କେଟ୍ ସହ ଯୋଡ଼ି ହେବାର ଅପାର ସମ୍ଭାବନା ରହିଛି। ‘ଭିଜନ ପୂର୍ବୋଦୟ’ (Vision Purvodaya) ମାଧ୍ୟମରେ ଓଡ଼ିଶାକୁ ବିକଶିତ କରିବା ପାଇଁ ଗୁଜରାଟର ନିବେଶକମାନଙ୍କୁ ସେ ଆମନ୍ତ୍ରଣ କରିଛନ୍ତି।




