ଭୁବନେଶ୍ୱର: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ଗଣପିଟୁ କରି ହତ୍ୟା କରାଯାଇଥିବା ସେନସେସନାଲ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଏହି ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଥିବା ବେଳେ ପୋଲିସ ଅନ୍ୟ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହି ବର୍ବରକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି। ପୋଲିସର ଗିରଫ ଭୟରେ ବେଣୁପୁର ଓ ଏହାର ଆଖପାଖ ଗାଁର ପୁରୁଷମାନେ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ବାଲିଅନ୍ତା ଥାନା ଅନ୍ତର୍ଗତ ଅନେକ ଗ୍ରାମ ଏବେ ପ୍ରାୟ ପୁରୁଷ ଶୂନ୍ୟ ହୋଇପଡ଼ିଛି।

ସୂଚନା ଅନୁଯାୟୀ, ଦୁଇ ଜଣ ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ବେଣୁପୁର ଓ ଆଖପାଖ ଅଞ୍ଚଳର ଏକ ବଡ଼ ଗୋଷ୍ଠୀ ସୌମ୍ୟରଞ୍ଜନଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ଖବର ପାଇ ସମ୍ପୃକ୍ତ ଯୁବତୀଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଘଟଣାସ୍ଥଳକୁ ଆସି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ପୋଲିସ ଏବେ ସିସିଟିଭି ଫୁଟେଜ୍ ଆଧାରରେ ତନାଘନା ଜାରି ରଖିଛି ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

ଅନ୍ୟପଟେ, ମୃତ କନଷ୍ଟେବଳଙ୍କ ପରିବାର ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ସୌମ୍ୟରଞ୍ଜନଙ୍କ ଚରିତ୍ର ସଂହାର କରିବା ପାଇଁ ଏହା ଏକ ମିଥ୍ୟା ଓ ସଜାଯାଇଥିବା କାହାଣୀ ବୋଲି ସେମାନେ କହିଛନ୍ତି। ସତ୍ୟାସତ୍ୟ ଜାଣିବା ପାଇଁ ପରିବାର ପକ୍ଷରୁ ଦୁଇ ଯୁବତୀଙ୍କ ପଲିଗ୍ରାଫ୍ (Lie Detector) ଟେଷ୍ଟ କରାଯିବାକୁ ଦାବି କରାଯାଇଛି।

ଗତକାଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ୱାଇ.ବି ଖୁରାନିଆ ଏବଂ ରାଜ୍ୟ ମହିଳା କମିଶନଙ୍କ ଅଧ୍ୟକ୍ଷା ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ସୌମ୍ୟଙ୍କ ମୃତଦେହ ତାଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଏହି ଘଟଣା ପାଇଁ ପୋଲିସକୁ ଦାୟୀ କରିଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ଓ ପରିବାରକୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଚତୁର୍ଦ୍ଦିଗରେ ସ୍ଲୋଗାନ ଦିଆଯାଇଛି।