ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିର ବିଜୟକୁ କେବଳ କ୍ଷମତା ପରିବର୍ତ୍ତନ ଭାବେ ନୁହେଁ, ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଭାବେ ଦେଖାଯାଉଛି। ଯେଉଁ ରାଜ୍ୟକୁ ଏକଦା ବିଜେପି ପାଇଁ ସବୁଠାରୁ କଠିନ ରାଜନୈତିକ କ୍ଷେତ୍ର ଭାବେ ଧରାଯାଉଥିଲା, ସେଠାରେ ଦଳର ଐତିହାସିକ ବିଜୟ ବିଜେପିର ଆତ୍ମବିଶ୍ୱାସକୁ ନୂଆ ଉଚ୍ଚତାକୁ ନେଇଛି। ଏହା ସହିତ ବିରୋଧୀ ଦଳମାନଙ୍କ ସାମ୍ନାରେ ସବୁଠାରୁ ବଡ଼ ପ୍ରଶ୍ନ ହେଲା—ବିଜେପିର ବିସ୍ତାରକୁ କିପରି ରୋକାଯିବ।
ପଶ୍ଚିମବଙ୍ଗ ଫଳାଫଳ ବିରୋଧୀ ଏକତା, ନେତୃତ୍ୱ ଓ ରଣନୀତିକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ବିଜେପିର ଏହି ବିଜୟ ସ୍ପଷ୍ଟ କରିଦେଇଛି ଯେ ଦଳ ଆଉ କେବଳ ହିନ୍ଦୀଭାଷୀ ଅଞ୍ଚଳରେ ସୀମିତ ନୁହେଁ। ହିନ୍ଦୁତ୍ୱ, କଲ୍ୟାଣକାରୀ ଯୋଜନା ଓ ସୁଦୃଢ଼ ସଂଗଠନକୁ ଆଧାର କରି ବିଜେପି ପଶ୍ଚିମବଙ୍ଗରେ ନୂଆ ରାଜନୈତିକ ସମୀକରଣ ତିଆରି କରିଛି। ରାଜ୍ୟ ଅସ୍ମିତା ବନାମ ‘ବାହାର ଲୋକ’ ରାଜନୀତିକୁ ମଧ୍ୟ ଦଳ ନିଜ ପକ୍ଷରେ ବ୍ୟବହାର କରିଛି।
ଏହି ବିଜୟର ସବୁଠାରୁ ବଡ଼ ବାର୍ତ୍ତା ହେଉଛି, ଭାଷା ଓ ଆଞ୍ଚଳିକ ପରିଚୟକୁ ଅଟକାଇ ଏକ ବିକଳ୍ପ ରାଜନୈତିକ ପରିଚୟ ସୃଷ୍ଟି କରାଯାଇପାରେ। ପଶ୍ଚିମବଙ୍ଗରେ ହିନ୍ଦୁତ୍ୱର ଭିତ୍ତି ମଜବୁତ ହେବା ପରେ ଦକ୍ଷିଣ ଭାରତରେ ମଧ୍ୟ ବିଜେପିର ଆତ୍ମବିଶ୍ୱାସ ବଢ଼ିଥିବା କୁହାଯାଉଛି।
ଏହି ପରିସ୍ଥିତିରେ ବିରୋଧୀ ଦଳମାନେ ଏବେ ମମତା ବାନାର୍ଜୀଙ୍କ ପଛରେ ଏକତ୍ର ହେଉଥିବା ଦେଖାଯାଉଛି। ରାହୁଲ ଗାନ୍ଧୀ ତାଙ୍କ ସହ କଥା ହୋଇ ଭୋଟ ଚୋରିର ଅଭିଯୋଗ ଉଠାଇଥିବା ବେଳେ, ଅଖିଳେଶ ଯାଦବ କୋଲକାତା ଯାଇ ମମତାଙ୍କୁ ଭେଟି “ଦିଦି, ଆପଣ ହାରିନାହାନ୍ତି” ବୋଲି କହିଥିଲେ।
ତଥାପି ଭୋଟ ପ୍ରତିଶତର ଗଣିତ ବିରୋଧୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ବିଜେପି ୪୫.୮୪ ପ୍ରତିଶତ ଭୋଟ ପାଇଥିବା ବେଳେ ଟିଏମସି ୪୦.୮୦ ପ୍ରତିଶତ ଭୋଟ ପାଇଛି। ସିପିଏମ, ଅନ୍ୟ ବାମ ଦଳ ଓ କଂଗ୍ରେସର ଭୋଟକୁ ମିଶାଇଲେ ସମଗ୍ର ବିରୋଧୀ ଭୋଟ ଅଂଶ ୪୮.୬୬ ପ୍ରତିଶତକୁ ପହଞ୍ଚୁଛି, ଯାହା ବିଜେପିଠାରୁ ଅଧିକ। ଏହାର ଅର୍ଥ, ବିରୋଧୀଙ୍କ ପରାଜୟ କେବଳ ସମର୍ଥନ ଅଭାବରୁ ନୁହେଁ, ବରଂ ଭୋଟ ବିଭାଜନରୁ ହୋଇଛି।
ଇଣ୍ଡି ମେଣ୍ଟ ବିବିଧତାରେ ଏକତାର କଥା କହୁଥିଲେ ମଧ୍ୟ ଅନେକ ରାଜ୍ୟରେ ସହଯୋଗୀ ଦଳମାନେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଏହି ଅନ୍ତର୍ଦ୍ୱନ୍ଦ୍ୱ ବିଜେପି ପାଇଁ ଲାଭଦାୟକ ହେଉଛି। ଏବେ ଉତ୍ତର ପ୍ରଦେଶ, ଗୁଜରାଟ ଓ ପଞ୍ଜାବ ଭଳି ଆଗାମୀ ନିର୍ବାଚନମୁଖୀ ରାଜ୍ୟଗୁଡ଼ିକରେ ବିରୋଧୀଙ୍କୁ ନିଜ ଭିତର ଦ୍ୱନ୍ଦ୍ୱ ଦୂର କରିବାକୁ ପଡ଼ିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
ପଶ୍ଚିମବଙ୍ଗ ଫଳାଫଳ ବିରୋଧୀଙ୍କ ସବୁଠାରୁ ବଡ଼ ଦୁର୍ବଳତାକୁ ସାମ୍ନାକୁ ଆଣିଛି। ବିଜେପି ବିରୋଧୀ ଭୋଟ ଏକତ୍ର ହୋଇପାରିନଥିଲା। କଂଗ୍ରେସ, ବାମପନ୍ଥୀ ଓ ଆଞ୍ଚଳିକ ଦଳଗୁଡ଼ିକ ଅଲଗା ଅଲଗା ଭାବେ ଲଢ଼ିଥିବାରୁ ବିଜେପି ସିଧାସଳଖ ଲାଭ ଉଠାଇଛି। ବିରୋଧୀଙ୍କ ସାମ୍ନାରେ ଏବେ ମୁଖ୍ୟ ଚ୍ୟାଲେଞ୍ଜ କେବଳ ମେଣ୍ଟ ଗଠନ ନୁହେଁ, ବରଂ ଏକ ସାଧାରଣ ନେତୃତ୍ୱ ଓ ଦୃଢ଼ ବିକଳ୍ପ ଆଦର୍ଶ ଗଢ଼ିବା।
ରାଜନୈତିକ ମହଳର ମତ ଅନୁସାରେ, ଯଦି ବିରୋଧୀ ଦଳମାନେ ଏକତାବଦ୍ଧ ରଣନୀତି ତିଆରି କରିବାରେ ବିଫଳ ହୁଅନ୍ତି, ତେବେ ଭବିଷ୍ୟତରେ ବିଜେପି ପାଇଁ ନୂଆ ରାଜନୈତିକ ଦ୍ୱାର ଖୋଲିବ ଏବଂ ବିରୋଧୀଙ୍କ ପାଇଁ ଅସ୍ତିତ୍ୱର ସଙ୍କଟ ଆଉ ଗଭୀର ହେବ।




