ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥରେ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ଯୁବତୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ରସୁଲଗଡ଼ ପାର୍ଶ୍ବରୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଏକ ସ୍କୁଟି ଓ ଏକ ବାଇକ୍ରେ ୪ ଜଣ ଯାଉଥିଲେ। ଫାୟାର ଷ୍ଟେସନ ସମ୍ମୁଖ ଓଭରବ୍ରିଜ୍ ଉପରେ ପଛପଟରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଦୁଇଟି ଯାନକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ଟ୍ରକ୍ ଚାଳକ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଦୁର୍ଘଟଣା ପରେ ସ୍କୁଟି ଓ ବାଇକ୍ ଆରୋହୀମାନେ ରାସ୍ତାରେ ଛିଟିକି ପଡ଼ିଥିଲେ। ପଛରୁ ଆସୁଥିବା ଲୋକମାନେ ତୁରନ୍ତ ଆହତମାନଙ୍କୁ ରାସ୍ତାକଡ଼କୁ ନେଇଥିଲେ। ପରେ ଅଗ୍ନିଶମ ଓ ପୁଲିସ କର୍ମଚାରୀମାନେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜାତୀୟ ରାଜପଥରେ ଭାରି ଯାନ ଚଳାଚଳ ଉପରେ କଡ଼ା ନିୟନ୍ତ୍ରଣ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ନେଇ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।




