ଭୁବନେଶ୍ୱର: ସୁଗମ ଓ ନିରାପଦ ଟ୍ରେନ୍ ଚଳାଚଳକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ ଶନିବାର ସମ୍ବଲପୁର-ଝାରସୁଗୁଡ଼ାରୋଡ୍ ସେକ୍ସନର ବିସ୍ତୃତ ନୀରୀକ୍ଷଣ କରିଛନ୍ତି। ଏହି ସମୟରେ ସେ ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଯାତ୍ରୀ ସୁବିଧା ଏବଂ ଚାଲୁଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ।
ନୀରୀକ୍ଷଣ ସମୟରେ ମହାପ୍ରବନ୍ଧକ ଟ୍ରାଫିକ୍ ପରିଚାଳନା, ଷ୍ଟେସନରେ ଯାତ୍ରୀ ସୁବିଧା ଓ ରେଳ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଟ୍ରେନ୍ ଚଳାଚଳ ସମୟରେ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷିତ ଓ ବାଧାମୁକ୍ତ ଟ୍ରେନ୍ ସେବା ଯୋଗାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଚାଲୁଥିବା ଅନେକ ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଜିଏମ୍ ସମୀକ୍ଷା କରିଥିଲେ। ପାର୍କିଂ ବ୍ୟବସ୍ଥାର ଉନ୍ନତି, ସର୍କୁଲେଟିଂ ଏରିଆର ବିକାଶ, ଷ୍ଟେସନ ଲ୍ୟାଣ୍ଡସ୍କେପିଂ ଏବଂ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଚାଲୁଥିବା ପୁନର୍ବିକାଶ କାର୍ଯ୍ୟକୁ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଯାତ୍ରୀଙ୍କ ଅଭିଜ୍ଞତାକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟ ରଖାଯାଇଛି।
ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ଉପରେ ମଧ୍ୟ ମହାପ୍ରବନ୍ଧକ ଗୁରୁତ୍ୱାରୋପ କରିଥିଲେ। ରେଳ ସେବାର ସାମଗ୍ରିକ ଗୁଣତ୍ତ୍ୱ ବୃଦ୍ଧି ପାଇଁ ସମସ୍ତ ଅଧିକାରୀଙ୍କୁ ସମନ୍ୱୟରେ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ନୀରୀକ୍ଷଣ କାର୍ଯ୍ୟକ୍ରମରେ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧୁରୀଙ୍କ ସହ ବହୁ ବରିଷ୍ଠ ରେଳ ଅଧିକାରୀ ଉପସ୍ଥିତ ଥିଲେ। ପ୍ରକଳ୍ପର ଅଗ୍ରଗତି, ସୁରକ୍ଷା ବ୍ୟବସ୍ଥା ଓ ସମୟସୀମା ନେଇ ସେମାନେ ବିସ୍ତୃତ ଆଲୋଚନା କରିଥିଲେ।




