ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ତୀବ୍ର ବୃଦ୍ଧି ଦେଖାଦେଇଛି। ଏହାର ସିଧାସଳଖ ପ୍ରଭାବ ଭାରତର ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନିଗୁଡ଼ିକ ଉପରେ ପଡ଼ିଛି। ଇଣ୍ଡିଆନ୍ ଓଏଲ୍ କର୍ପୋରେସନ୍‌ (ଆଇଓସିଏଲ୍‌), ଭାରତ ପେଟ୍ରୋଲିୟମ କର୍ପୋରେସନ୍‌ ଲିମିଟେଡ୍‌ (ବିପିସିଏଲ୍‌) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍‌ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ଦୈନିକ ପ୍ରାୟ ୧୬୦୦ରୁ ୧୭୦୦ କୋଟି ଟଙ୍କା କ୍ଷତି ସହୁଥିବା ଜଣାପଡ଼ିଛି। ଗତ ୧୦ ସପ୍ତାହରେ ଏହି କ୍ଷତି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ଯୁଦ୍ଧ ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ୍‌ ପିଛା ୭୦ ଡଲାର ତଳେ ଥିଲା। କିନ୍ତୁ ଯୁଦ୍ଧ ପରେ ଏହା ବୃଦ୍ଧି ପାଇ ୧୨୬ ଡଲାର ସ୍ତରକୁ ପହଞ୍ଚିଥିଲା। ତଥାପି ଭାରତରେ ସାଧାରଣ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇନାହିଁ। ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ ୬୦ ଟଙ୍କା ବୃଦ୍ଧି ହୋଇଥିଲେ ମଧ୍ୟ ତେଲ କମ୍ପାନିମାନଙ୍କ କ୍ଷତି ଭରଣା ହୋଇପାରିନାହିଁ।

ସୂତ୍ର ଅନୁସାରେ, ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ ନିୟନ୍ତ୍ରଣମୁକ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ଅନୁମତି ବିନା କମ୍ପାନିମାନେ ଦର ବୃଦ୍ଧି କରିପାରୁନାହାନ୍ତି। ବିଶ୍ୱର ଅନେକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବାବେଳେ ଭାରତରେ ଦର ସ୍ଥିର ରହିଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଭାରତର ଅଶୋଧିତ ତେଲ ଆମଦାନି ୪୦ ପ୍ରତିଶତ, ଏଲ୍‌ପିଜି ଆମଦାନି ୯୦ ପ୍ରତିଶତ ଏବଂ ପ୍ରାକୃତିକ ଗ୍ୟାସ ଆମଦାନି ୬୫ ପ୍ରତିଶତ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିବା କୁହାଯାଉଛି। ଏହାର ପ୍ରଭାବ ବିଦ୍ୟୁତ ଉତ୍ପାଦନ, ସାର ଶିଳ୍ପ ଏବଂ ସିଏନ୍‌ଜି-ପିଏନ୍‌ଜି ଯୋଗାଣ ଉପରେ ମଧ୍ୟ ପଡ଼ିବା ଆଶଙ୍କା ରହିଛି।

ଖାଉଟିଙ୍କୁ ଦରବୃଦ୍ଧିରୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ନିକଟରେ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମାଇଛନ୍ତି। ପେଟ୍ରୋଲ ଉପରୁ ଅତିରିକ୍ତ ଉତ୍ପାଦ ଶୁଳ୍କ ଲିଟର ପିଛା ୧୩ ଟଙ୍କାରୁ ୩ ଟଙ୍କାକୁ କମାଯାଇଥିବାବେଳେ ଡିଜେଲ ଉପରେ ଲାଗୁଥିବା ୧୦ ଟଙ୍କାର ବିଶେଷ ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏଥିଯୋଗୁ ସରକାରଙ୍କୁ ପ୍ରତିମାସ ପ୍ରାୟ ୧୪ ହଜାର କୋଟି ଟଙ୍କା ରାଜସ୍ୱ ହାନି ସହିବାକୁ ପଡ଼ୁଛି।