ଚେନ୍ନାଇ: ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସି ଯୋଶେଫ ବିଜୟ ତାଙ୍କ ପ୍ରଥମ ପ୍ରଶାସନିକ ପଦକ୍ଷେପ ଭାବେ ନିର୍ବାଚନ ପୂର୍ବରୁ ଦେଇଥିବା ମୁଖ୍ୟ ପ୍ରତିଶ୍ରୁତିଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ଆଗୁଆ ହୋଇଛନ୍ତି। ରବିବାର ଶପଥ ଗ୍ରହଣ ପରେ ବିଜୟ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ ପ୍ରଦାନ ସମ୍ପର୍କିତ ଫାଇଲରେ ସ୍ୱାକ୍ଷର କରିଥିବାବେଳେ ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସୁରକ୍ଷା ବାହିନୀ ଗଠନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁର କରିଛନ୍ତି। ଏହାସହ ରାଜ୍ୟବ୍ୟାପୀ ନିଶା କାରବାର ବିରୋଧୀ ୟୁନିଟ୍ ଗଠନ ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି।
ଶପଥ ଗ୍ରହଣ ପରେ ଚେନ୍ନାଇର ଜବାହାରଲାଲ ନେହରୁ ଷ୍ଟାଡିୟମରେ ଲୋକମାନଙ୍କୁ ସମ୍ବୋଧନ କରି ବିଜୟ କହିଥିଲେ ଯେ, ତାମିଲନାଡ଼ୁରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ସେ ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟ ଆଧାରିତ ଶାସନ ଦେବାକୁ ପ୍ରତିବଦ୍ଧ ବୋଲି କହିଥିଲେ। ସେ କହିଥିଲେ ଯେ, ତାଙ୍କ ଶାସନରେ ଅନ୍ୟ କୌଣସି ଶକ୍ତିକେନ୍ଦ୍ର ରହିବ ନାହିଁ ଏବଂ ଲୋକଙ୍କ ସ୍ବାର୍ଥକୁ ପ୍ରାଥମିକତା ଦିଆଯିବ।
ବିଜୟ ସରକାର ଗଠନରେ ସମର୍ଥନ ଦେଇଥିବା କଂଗ୍ରେସ, ଭିସିକେ, ଆଇୟୁଏମ୍ଏଲ୍ ଓ ବାମ ଦଳମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ପିଲାମାନଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇ କହିଥିଲେ ଯେ, ଟିଭିକେର ବିଜୟରେ ସେମାନଙ୍କ ମଧ୍ୟ ବଡ଼ ଭୂମିକା ରହିଛି।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ତାମିଲନାଡ଼ୁର ଉନ୍ନତି ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ସହ ମିଶି କାମ କରିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।




