ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୫୩ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଦମ୍‌ଦାର ପ୍ରଦର୍ଶନ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ଘରୋଇ ଦଳ ୨୦୪ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ୫ଟି ୱିକେଟ୍‌ ହରାଇ ହାସଲ କରିଥିଲା।

ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲେ ଚେନ୍ନାଇର ଯୁବ ବ୍ୟାଟର ଉର୍ଭିଲ ପଟେଲ। ସେ ମାତ୍ର ୧୩ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ଆଇପିଏଲ୍‌ ଇତିହାସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଉର୍ଭିଲ ୨୩ଟି ବଲ୍‌ରେ ୨ଟି ଚୌକା ଓ ୮ଟି ଛକା ସହାୟତାରେ ୬୫ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଅର୍ଦ୍ଧଶତକ ପୂରଣ ପରେ ସେ ନିଜ ପକେଟ୍‌ରୁ ଏକ କାଗଜ ବାହାର କରି ବାପାଙ୍କ ପାଇଁ ଲେଖା ଥିବା ବାର୍ତ୍ତା ଦେଖାଇଥିଲେ। ପରେ ହାତଯୋଡ଼ି ଦର୍ଶକଙ୍କୁ ନମସ୍କାର କରିଥିଲେ, ଯାହା ଷ୍ଟାଡିୟମରେ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା।

ଚେନ୍ନାଇ ପାଇଁ ଅଧିନାୟକ ଋତୁରାଜ ଗାଏକ୍ବାର୍ଡ ମଧ୍ୟ ଭଲ ବ୍ୟାଟିଂ କରି ୨୮ଟି ବଲ୍‌ରେ ୪୨ ରନ୍‌ କରିଥିଲେ। ସଞ୍ଜୁ ସାମସନ୍‌ ୧୪ଟି ବଲ୍‌ରେ ୨୮ ରନ୍‌ କରିଥିବା ବେଳେ ଶିଭମ ଦୁବେ ୧୫ ଓ ପ୍ରଶାନ୍ତ ବୀର ୧୮ ରନ୍‌ କରି ଅପରାଜିତ ରହିଥିଲେ।

ଏହାପୂର୍ବରୁ ଟସ୍‌ ଜିତି ଚେନ୍ନାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୨୦୩ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍‌ ଇଂଲିଶ ସର୍ବାଧିକ ୮୫ ରନ୍‌ କରିଥିଲେ। ସେ ୩୩ଟି ବଲ୍‌ରେ ୧୦ଟି ଚୌକା ଓ ୬ଟି ଛକା ମାରିଥିଲେ। ଶାହବାଜ ଅହମଦ ୨୫ଟି ବଲ୍‌ରେ ଅପରାଜିତ ୪୩ ରନ୍‌ କରିଥିଲେ।

ଚେନ୍ନାଇ ପକ୍ଷରୁ ଜିମି ଓଭରଟନ୍‌ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ସେ ୪ ଓଭରରେ ୩୬ ରନ୍‌ ଦେଇ ଲକ୍ଷ୍ନୌର ମୁଖ୍ୟ ବ୍ୟାଟରମାନଙ୍କୁ ପ୍ୟାଭିଲିୟନ୍‌ ପଠାଇଥିଲେ। ଅଂଶୁଳ କମ୍ବୋଜ ୨ଟି ଓ ନୂର ଅହମଦ ଗୋଟିଏ ୱିକେଟ୍‌ ନେଇଥିଲେ।