ହାଇଦ୍ରାବାଦ: ରବିବାର ଦିନ ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମଧ୍ୟରେ ଏକ ଆକର୍ଷଣୀୟ ତଥା ହାଲୁକା ମିଜାଜର ବାର୍ତ୍ତାଳାପ ଦେଖିବାକୁ ମିଳିଛି।କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗୁଜରାଟ ମଡେଲର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଯେପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦୀ ଜୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସାହାଯ୍ୟ କରିଥିଲେ, ସେହିଭଳି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତେଲେଙ୍ଗାନାର ବିକାଶ ପାଇଁ ଆଶୀର୍ବାଦ ଓ ସହଯୋଗ ପ୍ରଦାନ କରନ୍ତୁ।

ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ହସି ହସି କହିଥିଲେ ଯେ, ଯଦି ସେ ପୁରୁଣା ‘ଗୁଜରାଟ ଫର୍ମୁଲା’ (ସେତେବେଳର କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସାହାଯ୍ୟ) ଲାଗୁ କରିଦେବେ, ତେବେ ତେଲେଙ୍ଗାନାକୁ ଆଜି ଯାହା ମିଳୁଛି ତାହା ଅଧା ହୋଇଯିବ। ସେ କହିଥିଲେ:”ମୁଁ ଆପଣଙ୍କୁ ସେତିକି ସବୁ ଦେବାକୁ ପ୍ରସ୍ତୁତ, ଯାହା ଭାରତ ସରକାର ନିଜର ୧୦ ବର୍ଷର ଶାସନ କାଳରେ ଗୁଜରାଟକୁ ଦେଇଥିଲେ। କିନ୍ତୁ ମୋ ସୂଚନା ଅନୁଯାୟୀ, ଯଦି ମୁଁ ସେମିତି କରେ, ତେବେ ଆପଣଙ୍କୁ ଏବେ ଯାହା ମିଳୁଛି ତାହା ଅଧା ହୋଇଯିବ ଏବଂ ଆପଣ ଯେଉଁ ସ୍ଥାନରେ ପହଞ୍ଚିବାକୁ ଚାହୁଁଛନ୍ତି ସେଠାରେ ପହଞ୍ଚି ପାରିବେ ନାହିଁ।”ଏହା ଶୁଣି ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ମୁହଁରେ ମଧ୍ୟ ହସ ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ଏହି ଅବସରରେ ତେଲେଙ୍ଗାନାରେ ପ୍ରାୟ ୯,୪୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଗୁଡେବେଲୁରୁରୁ ମହବୁବନଗର ପର୍ଯ୍ୟନ୍ତ ୪-ଲେନ୍ ବିଶିଷ୍ଟ ରାସ୍ତା, କାଜିପେଟ-ବିଜୟୱାଡା ମଲ୍ଟି-ଟ୍ରାକିଂ ପ୍ରକଳ୍ପର ବିଭିନ୍ନ ବିଭାଗ ଏବଂ ୱାରଙ୍ଗଲଠାରେ ପ୍ରାୟ ୧,୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘କାକତୀୟ ମେଗା ଟେକ୍ସଟାଇଲ୍ ପାର୍କ’ର ଉଦଘାଟନ। ଏହା ଭାରତର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପିଏମ୍ ମିତ୍ର ପାର୍କ ଆଦି ଉଦ୍ଘାଟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା, କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।